- ଓଡ଼ିଆରେ Global Voices - https://or.globalvoices.org -

ଓଡ଼ିଆ ମାତୃଭାଷୀଙ୍କ ଡିଜିଟାଲ ନିରାପତ୍ତା: ଏକ ସାମାଜିକ-ଅର୍ଥନୈତିକ ଅବଲୋକନ 

ଶ୍ରେଣୀ: ନାଗରିକ ମିଡିଆ, ରାଇଜିଙ୍ଗ ଭଏସେସ

ରାଇଜିଂ ଭଏସେସ ପାଇଁ ଆନା ଗାବ୍ରିଏଲା ହୁଇଜାଙ୍କ ଅଙ୍କନ

ଓଡ଼ିଆ ଭାଷା ବାବଦରେ କିଛି

“ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ଏକ ଇଣ୍ଡୋ-ଆର୍ଯ୍ୟ ଗୋଷ୍ଠୀ ଭାଷା । ଏହା ଓଡ଼ିଶାର ସରକାରୀ ଭାଷା ଓ ଓଡ଼ିଶା ଜନସଂଖ୍ୟାର ୮୨% ଓଡ଼ିଆ ଭାଷାଭାଷୀ । ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କହାଯାଏ ।  ଛତିଶଗଡ଼ର ୭ ଲକ୍ଷ ଜନସଂଖ୍ୟା ମଧ୍ୟ ଓଡ଼ିଆ କହନ୍ତି ।” — ଉଇକିପିଡ଼ିଆ [1]

ସ୍ୱୀକୃତି: ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଦର୍ଶାଯାଇଥିବା ୨୨ଟି ସୂଚିତ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଆ ଓଡ଼ିଶାର ସରକାରୀ ଭାଷା ଓ ଝାଡ଼ଖଣ୍ଡର ଦ୍ବିତୀୟ ସରକାରୀ ଭାଷା ।

ଭାଷା ସ୍ଥିତି: ୨ (ପ୍ରାଦେଶିକ)। ଓଡ଼ିଶା ପ୍ରଦେଶର ବୈଧାନିକ ପ୍ରାଦେଶିକ ଭାଷା (୧୯୫୦, ସମ୍ବିଧାନ, ଅଷ୍ଟମ ପରିଚ୍ଛେଦ)। ଓଡ଼ିଆ ଭାଷା ଏକ ଦେଶର ପ୍ରମୁଖ ପ୍ରାଶାସନିକ ଉପଖଣ୍ଡ ମଧ୍ୟରେ ଶିକ୍ଷା, କାର୍ଯ୍ୟ, ଗଣମାଧ୍ଯମ ଏବଂ ସରକାରୀ କାର୍ଯ୍ୟରେ ବ୍ୟବହୃତ ହୁଏ ।ଇ.ଜି.ଆଇ.ଡି.ଏସ. ସ୍କେଲ, ଏଥନୋଲୋଗ [2]

ଏହି ଭାଷାରେ ଡିଜିଟାଲ ନିରାପତ୍ତା ସାଧନ:

  • କିଛି ମିଳିନାହିଁ

ଏ ଭାଷାରେ ଡିଜିଟାଲ ନିରାପତ୍ତା ଟୁଲ:

  • Signal ❌
  • TOR ❌
  • Psiphon ❌

ଏହାର ପ୍ରଭାବଶାଳୀ ସମକକ୍ଷ ଭାଷା ତୁଳନାରେ ପୂର୍ବ ଭାରତର ଓଡ଼ିଆ ଭାଷାକୁ ଡିଜିଟାଲ ମିଡିଆରେ ବ୍ୟାପକ ଭାବେ ବ୍ୟବହାର ହେବା ପାଇଁ କେଇ ଦଶନ୍ଧି ଅପେକ୍ଷା କରିବାକୁ ପଡ଼ିଥିଲା । ଅଧୁନା ଡିଜିଟାଲ ଉପକରଣ ଏବଂ ଇଣ୍ଟରନେଟ ବ୍ୟବହାର କରୁଥିବା ଓଡ଼ିଆ ଭାଷାଭାଷୀମାନେ ଅନେକ ଡିଜିଟାଲ ନିରାପତ୍ତା ଏବଂ ନିରାପତ୍ତା ବିପଦର ସମ୍ମୁଖୀନ ହେଉଛନ୍ତି । ତେବେ ଲିଙ୍ଗ, ଜାତି ଏବଂ ଭୌଗୋଳିକ ଅବସ୍ଥିତିଦ୍ୱାରା ସେମାନଙ୍କ ଅନୁଭୂତି କିଭଳି ପ୍ରଭାବିତ? ଓଡ଼ିଆରେ ସୀମିତ ସୂଚନା ସେମାନଙ୍କ ଡିଜିଟାଲ ନିରାପତ୍ତା ଉପରେ କିପରି ପ୍ରଭାବ ପକାଏ?

ଯେଉଁ ଦୁନିଆରେ ଭାଷାଗୁଡ଼ିକ କ୍ରମାଗତ ଭାବରେ ଅବହେଳିତ ହେଉଛନ୍ତି ସେଠାରେ ଓଡ଼ିଆ ଭାଷା ଉଭୟ ସୁବିଧାପ୍ରାପ୍ତ ଓ ଅବହେଳିତ । ଗୋଟିଏ ପଟେ ଏହି ଭାଷା (ଏବଂ ଏହାର ଭାଷାଭାଷୀ) ଭାରତର ଓଡ଼ିଶା ପ୍ରଦେଶ ଭିତରେ ଆଞ୍ଚଳିକ ଭାଷା ଏବଂ ଉକ୍ତ ଭାଷାଗୁଡ଼ିକର ଭାଷାଭାଷୀମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଅପରପକ୍ଷରେ ଓଡ଼ିଆ ଭାଷାଭାଷୀମାନେ ଅନ୍ୟ ନିମ୍ନ ଓ ମଧ୍ୟମ ସମ୍ବଳ ବିଶିଷ୍ଟ ଭାଷା ଭାଷୀମାନଙ୍କ ଭଳି ଡିଜିଟାଲ ଦୁନିଆରେ ସମାନ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଯଥା ଗଣମାଧ୍ୟମ ଏବଂ ଡିଜିଟାଲ ପରିବେଶରେ ପ୍ରତିନିଧିତ୍ୱ କିମ୍ବା ଉପସ୍ଥିତିର ଅଭାବ ।

ମୁଁ ଜଣେ ଓଡ଼ିଆ ମାତୃଭାଷୀ ବକ୍ତା । ମୁଁ ଜାତି, ଲିଙ୍ଗ ଏବଂ ସାମାଜିକ-ଅର୍ଥନୈତିକ ସୁବିଧା ପାଇଥିବା ବ୍ୟକ୍ତି ଭାବରେ ଆତ୍ମପରିଚୟ ଦିଏ । ୨୦୦୬ ମସିହାରୁ ଡିଜିଟାଲ ଟୁଲ ଏବଂ ପ୍ଲାଟଫର୍ମରେ ଓଡ଼ିଆ ବ୍ୟବହାର କରିବାରେ ମୋର ବୃତ୍ତିଗତ ଦକ୍ଷତା ରହିଛି । ସେତେବେଳେ ଓଡ଼ିଆରେ ଟାଇପକରା ଲେଖାରେ ଅନଲାଇନ ଯୋଗାଯୋଗ ବିରଳ ଥିଲା । ମୋର ବିଶେଷ ସୁବିଧା ମଧ୍ୟ ମୋତେ ଅନେକ ପ୍ଲାଟଫର୍ମ ଇଣ୍ଟରଫେସର ଅନ୍ତର୍ଜାତୀୟକରଣ, ସ୍ଥାନୀୟକରଣ [3] ଏବଂ ଅନ୍ୟାନ୍ୟ ଗବେଷଣା ଏବଂ ବିକାଶ ପଦକ୍ଷେପରେ ପ୍ରାରମ୍ଭିକ ଏବଂ ସବୁଠାରୁ ସକ୍ରିୟ ଯୋଗଦାନକାରୀମାନଙ୍କ ମଧ୍ୟରୁ ଜଣେ ହେବାର ସୁଯୋଗ ଦେଇଥିଲା । ଦଳିତ-ଆଦିବାସୀ-ବହୁଜନ ଲୋକଙ୍କ  ଉପରେ ଐତିହାସିକ ଭାବେ ଉତ୍ପୀଡ଼ନରେ ମୋର ପୂର୍ବଜଙ୍କ ଭୂମିକା ଏବଂ ତାହାର ପରିଣାମ ଭାବେ ମୋତେ ମିଳିଥିବା ସୁବିଧା ସୁଯୋଗ ମୁଁ ସ୍ୱୀକାର କରୁଛି ଏବଂ କ୍ଷମା ପ୍ରାର୍ଥନା କରୁଛି । ବ୍ରାହ୍ମଣବାଦୀ ଜାତିଭିତ୍ତିକ ଉତ୍ପୀଡ଼ନ ଉଚ୍ଛେଦ ଦିଗରେ ମୁଁ ମୋ କାମରେ ସଚେତନ ପ୍ରୟାସ କରିଥିଲେ ମଧ୍ୟ ମୋର କୌଣସି ଭୁଲର ସୁଧାର ପାଇଁ ମୁଁ ଇଚ୍ଛୁକ ।

ବ୍ୟାପକ ଓଡ଼ିଆ ଭାଷାଭାଷୀ ସମୁଦାୟରେ ମୋର ନିଜ ସ୍ଥିତିକୁ ଆଧାର କରି ମୁଁ “ଓଡ଼ିଆ ମାତୃଭାଷୀଙ୍କ ଡିଜିଟାଲ ନିରାପତ୍ତା: ଏକ ସାମାଜିକ-ଅର୍ଥନୈତିକ ଅବଲୋକନ” ନାମକ ଗବେଷଣା କରିଥିଲି । ଏହି ଗବେଷଣାରେ ବ୍ୟବହାରକାରୀଙ୍କ ଡିଜିଟାଲ ବିପଦକୁ ପ୍ରଭାବିତ କରୁଥିବା ବିଭିନ୍ନ ସାମାଜିକ-ଅର୍ଥନୈତିକ କାରଣସବୁକୁ ପାଖରୁ ଦେଖାଯାଇଥିଲା । କାରଣସବୁ ଥିଲା ଭାଷାଗତ ଏବଂ ଡିଜିଟାଲ ସାବଲୀଳତା, ଲିଙ୍ଗ, ଜାତି, ଜ୍ଞାନର ସୁଲଭତା ଏବଂ ଡିଭାଇସ ଏବଂ ଡାଟା କିଣିବାର କ୍ଷମତା ଆଦି ।

ନିଜର ଭାଷାଭିତ୍ତିକ (ଓଡ଼ିଆରେ) ଏବଂ ଡିଜିଟାଲ ସାବଲୀଳତା ଭିତ୍ତିରେ ନିଆରା ଭାବେ ସ୍ଥାନୀତ ତିନି ଜଣ ବ୍ୟକ୍ତିଙ୍କ ଧାରଣା ଓ ଅସୁବିଧା ବାବଦରେ ଶୁଣିବା ଏବଂ ଭଲ ଭାବରେ ବୁଝିବା ପାଇଁ ମୁଁ ସେମାନନଙ୍କ ସହ ଅର୍ଦ୍ଧ-ସଂଗଠିତ ସାକ୍ଷାତକାର କରିଥିଲି । ପ୍ରଥମ ଜଣକ ହେଲେ ଅଲିଭା ସାହୁ ଓ ତାଙ୍କ ମାତୃଭାଷା ଓଡ଼ିଆର କେନ୍ଦ୍ରୀୟ (ମୋଗଲବନ୍ଦୀ) ଉପଭାଷା । ଦ୍ୱିତୀୟ ଜଣକ ତୁଳାରାମ ବୌଦ୍ଧ ଓ ତାଙ୍କ ମାତୃଭାଷା ସମ୍ବଲପୁରୀ/କୋସଳୀ । ସମ୍ବଲପୁରୀ/କୋସଳୀ ଓଡ଼ିଆ ବୃହତଭାଷା ଅଧୀନରେ ଭାଷାଗତ ଭାବରେ ଶ୍ରେଣୀଭୁକ୍ତ । ଶେଷଜଣକ ହେଲେ ପ୍ରଶାନ୍ତ ହେମ୍ବ୍ରମ ଓ ସେ ଜଣେ ବହୁଭାଷୀ: ତାଙ୍କ ମାତୃଭାଷା ସାନ୍ତାଳୀ, ସେ ଓଡ଼ିଆ ଅଧ୍ୟୟନ କରିଥିଲେ ଏବଂ ସେ ସମ୍ବଲପୁରୀର ସୁନ୍ଦରଗଡ଼ ବୋଲିରେ କଥାବାର୍ତ୍ତା କରନ୍ତି । ସେମାନଙ୍କ ପ୍ରତିବନ୍ଧକକୁ ବୁଝିବା ଛଡ଼ା ମୁଁ ଅନୁସନ୍ଧାନ ଆଧାରରେ ଡିଜିଟାଲ ନିରାପତ୍ତା ଏବଂ ନିରାପତ୍ତା ବିପଦର ସାମ୍ପ୍ରତିକ ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିବା ପାଇଁ କିଛି ସୁପାରିସ ମଧ୍ୟ ପ୍ରସ୍ତୁତ କଲି ।

ଅନଲାଇନ ଓ ଅଫଲାଇନ ଭାଷାଗତ ଅଧିକାର ଏବଂ ଦୁର୍ବଳତା

ବାକି ସ୍ଥାନ ଭଳି ଭାରତରେ ଡିଜିଟାଲ ପ୍ଲାଟଫର୍ମ, ଆପ୍ଲିକେସନ ଏବଂ ସେବାସବୁ ଆଗରୁ ଅବହେଳିତ ହେଉଥିବା ବ୍ୟବହାରକାରୀଙ୍କୁ ଅଧିକ ବିପଦର ସମ୍ମୁଖୀନ କରାଏ । ଗୁରୁତ୍ୱପୂର୍ଣ୍ଣ ସୂଚନାର ଅଭାବ ଭାରତର ଗରିବ ଲୋକଙ୍କ ପାଇଁ କିଭଳି “ସୂଚନା ଦାରିଦ୍ର୍ୟ [4]” ସୃଷ୍ଟି କରେ ତାହା ଆଗରୁ ଭଲ ଭାବରେ ଉଲ୍ଲେଖ ହୋଇଛି । ଏହା ପରେ ମୁଁ ଜାତି, ଲିଙ୍ଗ, ଭୌଗୋଳିକ ଅବସ୍ଥିତିକୁ ବିଚାର କରି ଏକ ଆନ୍ତର୍ଶ୍ରେଣୀୟ ଦୃଷ୍ଟିକୋଣରୁ ମୋର ବିଶ୍ଳେଷଣ ଏବଂ ପ୍ରତିଫଳନ ଲେଖିଛି ।

ଜାତି

ହିନ୍ଦୁ ଜାତିପ୍ରଥା ଏକ ୩୦୦୦ ବର୍ଷ ପୁରୁଣା ଭେଦଭାବପୂର୍ଣ୍ଣ ସଂସ୍କୃତି [5] ଯାହା ପ୍ରାଚୀନ ବୃତ୍ତି ଆଧାରରେ ବଂଶାନୁକ୍ରମିକ ଜାତି-ପରିଚୟ ପ୍ରଦାନ କରେ । ଏହା ଲୋକମାନଙ୍କୁ ବିଭାଜିତ କରେ ଏବଂ ଜୋର କରି ବୃତ୍ତି ଲାଗୁ କରାଏ । ପ୍ରତ୍ୟେକ ବୃତ୍ତି ଭିନ୍ନ ଭିନ୍ନ ସୁବିଧା ବା ଅସୁବିଧା ସହ ଜଡ଼ିତ । ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ସାଙ୍ଗିଆରୁ ପ୍ରକାଶିତ ଜାତିଗତ ଉପାଧି ମଧ୍ୟ ପାଆନ୍ତି ଏବଂ ସେମାନଙ୍କ ଜାତି ସହିତ ଜଡ଼ିତ ଆଧିପତ୍ୟ କିମ୍ବା ଅବହେଳାର ଉତ୍ତରାଧିକାରୀ ହୁଅନ୍ତି । ସାମାଜିକ ସମ୍ମାନ କ୍ରମରେ ଚାରିଟି ମୁଖ୍ୟ ଜାତି ବିଭାଗ ରହିଛି: ବ୍ରାହ୍ମଣ (ଜନ୍ମରୁ ବୁଦ୍ଧିଜୀବୀ ବିବେଚିତ ପୁରୋହିତ ଶ୍ରେଣୀର ଲୋକ), କ୍ଷତ୍ରିୟ (ଯୋଦ୍ଧା), ବୈଶ୍ୟ (ବ୍ୟବସାୟୀ) ଏବଂ ଶୁଦ୍ର (“ସେବାୟତ”) । ବିଭିନ୍ନ ଜାତି, ଧର୍ମ ବ୍ୟବସ୍ଥା ଏବଂ ଭୌଗୋଳିକ ଅବସ୍ଥିତିରେ ଥିବା ଜାତିମାନଙ୍କୁ ନେଇ ଗଠିତ ଦଳିତ [6] ଏକ ବିବିଧ ଜାତିଗତ ସାମାଜିକ ଗୋଷ୍ଠୀ ଏହି ନିର୍ଦ୍ଦିଷ୍ଟ ଜାତି ବ୍ୟବସ୍ଥା ବାହାରେ ଏବଂ ପୂର୍ବରୁ ସେମାନଙ୍କୁ “ଅସ୍ପୃଶ୍ୟ” ଭାବରେ ବିବେଚନା କରାଯାଉଥିଲା । ଭାରତର ୧୪୦ କୋଟି ଲୋକଙ୍କ ମଧ୍ୟରୁ ପାଖାପାଖି ୨୦୦ ନିୟୁତ ହେଉଛନ୍ତି ଦଳିତ ।

ବ୍ରିଟିଶ ଉପନିବେଶବାଦୀମାନେ ପୂର୍ବରୁ ଥିବା ଜାତିଭିତ୍ତିକ ଉତ୍ପୀଡ଼ନର ଲାଭ ଉଠାଇ ବିଭାଜନ ଓ ଶାସନ କରିଥିଲେ ଯାହା ୧୯୪୭ରେ ଭାରତୀୟ ସ୍ୱାଧୀନତା ପରେ ବିଶେଷକରି ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଆଦି ପ୍ରଭାବଶାଳୀ ଜାତିମାନଙ୍କୁ ଦଳିତମାନଙ୍କ ଉପରେ ଜାତିଭିତ୍ତିକ ଉତ୍ପୀଡ଼ନ କରିବାରେ ସାହାଯ୍ୟ କରିଥିଲା । ତୁଲାରାମ ବୌଦ୍ଧ ନିଜେ ଜଣେ ଦଳିତ ସେ ଦର୍ଶାଇଛନ୍ତି ଯେ ଐତିହାସିକ ଭାବେ ସାମାଜିକ-ଅର୍ଥନୈତିକ ଉତ୍ପୀଡ଼ନ ଯୋଗୁଁ ଅନେକ ଦଳିତ ଅନ୍ୟ ପ୍ରଭାବଶାଳୀ ଜାତିର ସାଥୀମାନଙ୍କ ତୁଳନାରେ ବହୁତ ବିଳମ୍ବରେ ସ୍ମାର୍ଟଫୋନ କିଣିବା ସୁଯୋଗ ପାଆନ୍ତି । ଦଳିତ ଯୁବାଙ୍କ ସ୍ମାର୍ଟଫୋନ ସାବଲୀଳତା ସ୍ୱାଭାବିକ ଭାବେ ବିଳମ୍ବିତ ହେଉଛି । ଦଳିତ କର୍ମୀମାନେ କମ ଧ୍ୟାନ ଆକର୍ଷଣ କରିବା ପାଇଁ ନିଜ କାର୍ଯ୍ୟଶୀଳତା ସମ୍ବନ୍ଧୀୟ ପୋଷ୍ଟଗୁଡ଼ିକୁ ନିଜ ଆଡ଼ୁ ସେନ୍ସର କରନ୍ତି । ସେମାନେ ଏକ ପ୍ରକାରର “ଡିଜିଟାଲ ଉତ୍ପୀଡ଼ନ” ମଧ୍ୟ ଅନୁଭବ କରନ୍ତି ।

ଲିଙ୍ଗ

ଆଦିବାସୀ-ଦଳିତ-ବହୁଜନ ସମୁଦାୟଙ୍କ ଭଳି ଭାରତରେ ମହିଳାମାନେ ମଧ୍ୟ କମ ଭାଷାଗତ ସାକ୍ଷରତା, ମୋବାଇଲ ଉପକରଣର ସୀମିତ ସୁବିଧା ଏବଂ (ଡିଜିଟାଲ) ସୁରକ୍ଷା ଏବଂ ନିରାପତ୍ତା ବାବଦରେ କମ ଜ୍ଞାନ କାରଣରୁ ଅତି ସୀମିତ ସୂଚନା ପାଇଥାନ୍ତି । ନିମ୍ନ ଆୟବର୍ଗ [7] ଏବଂ ଦଳିତ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଗମ୍ଭୀର । କାରଣ ପ୍ରାୟ ୧୦ କୋଟି ମହିଳା ଉଭୟ ଦଳିତ ଏବଂ ମହିଳା ହୋଇଥିବାରୁ ଏବଂ ଦାରିଦ୍ର୍ୟ ହେତୁ ତିନି ଗୁଣା ଅଧିକ ଉତ୍ପୀଡ଼ନର [8] ସମ୍ମୁଖୀନ ହୋଇଥାନ୍ତି । କମ୍ ସାକ୍ଷରତା ଏବଂ ସୁଲଭତା [9] କାରଣରୁ ଆଦିବାସୀ ମହିଳାମାନେ ସମାନ କିମ୍ବା ଖରାପ ସ୍ଥିତିର ସମ୍ମୁଖୀନ ହୁଅନ୍ତି । ଜାତି ଏବଂ ଆୟ ବର୍ଗ ଛଡ଼ା ପୁରୁଷପ୍ରଧାନତା ମହିଳାମାନଙ୍କ ଟେକ୍ନୋଲୋଜିର ସୁଲଭତାକୁ ଗୁରୁତର ଭାବରେ ପ୍ରଭାବିତ କରିଛି ଏବଂ ସେମାନଙ୍କ ସାମାଜିକ ଏବଂ ସାମାଜିକ ଗଣମାଧ୍ୟମ ଆଚରଣକୁ ପ୍ରଭାବିତ କରିଛି । ସାକ୍ଷାତକାରରୁ ମୁଁ ଜାଣିବାକୁ ପାଇଲି ଯେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଅଧିକାଂଶ ବୟସ୍କ ମହିଳା ଡରରେ ଟେକ୍ନୋଲୋଜିଠାରୁ ନିଜକୁ ଦୂରାଇ ରଖନ୍ତି ଯାହା ଜାଣିବା ସୁଯୋଗ ଅଭାବରୁ ସୃଷ୍ଟ  । ଏଭଳି ପରିବାରର ଯୁବତୀମାନଙ୍କର ଡିଜିଟାଲ ଉପସ୍ଥିତି ଅନେକ ସମୟରେ ଦମନିତ ହୋଇଥାଏ ।

ଅଧିକାଂଶ ଅଧିକ ବ୍ୟବହାର କଲେ ବିପଦ ଅଧିକ ହେବା ଡରରେ ମହିଳାମାନେ ସେମାନଙ୍କର ଡିଜିଟାଲ ଉପସ୍ଥିତି ଏବଂ ଆଦାନପ୍ରଦାନକୁ ଖୁବ କମ ରଖିଥାନ୍ତି  । ଅସୁବିଧାରେ ପଡ଼ିଲେ ଅନେକ ମହିଳା ଶାରୀରିକ ନିରାପତ୍ତା ଡରରେ ପୁରୁଷ ସାଥୀଙ୍କ ସାହାଯ୍ୟ ମଧ୍ୟ ନିଅନ୍ତି ନାହିଁ । ସାକ୍ଷାତକାରରେ ଅଲିଭା ସାହୁ କହନ୍ତି:

ସତ କହିଲେ ମହିଳାମାନେ ନିଜ ପୁରୁଷ ସାଥୀମାନଙ୍କୁ କୌଣସି ସାହାଯ୍ୟ ମାଗିବାକୁ ହୁଏତ ଅଧିକ ସୁରକ୍ଷିତ ମଣନ୍ତି ନାହିଁ । ନୂଆ ପରିଚିତଙ୍କ ସହିତ ଏହା ଆହୁରି କଷ୍ଟକର । ଜଣେ ପରିଚିତ ଏକ କଲରେ କଥା ହେବା ବେଳେ ମୋତେ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ମତ ମୋତେ ମନା କରିବାକୁ ପଡ଼ିଥିଲା ।

ଓଡ଼ିଆରେ ସାବଲୀଳତା ସତ୍ତ୍ୱେ କମ ଇଂରାଜୀ ସାବଲୀଳତା ମହିଳାମାନଙ୍କ ଡିଜିଟାଲ ଯାତାୟାତ ସୀମିତ କରିଥାଏ କାରଣ ସେମାନେ ପ୍ରାୟତଃ ଇଂରାଜୀ-ବହୁଳ ଡିଜିଟାଲ କ୍ଷେତ୍ରରେ ଦିଗ ବାରିବା ପାଇଁ ଅନ୍ୟ ସାଥୀମାନଙ୍କ ଉପରେ ନିର୍ଭର କରିଥାନ୍ତି । ଓଡ଼ିଆରେ ବିଷୟବସ୍ତୁ, ଇଣ୍ଟରଫେସ ଏବଂ ବ୍ୟବହାରକାରୀ ସହାୟକ ପୁସ୍ତିକା ଅଭାବ ଯୋଗୁଁ ମହିଳାମାନେ ଡିଜିଟାଲ ବିପଦର ସମ୍ମୁଖୀନ ହେଉଛନ୍ତି ।

ଇଂରାଜୀ, ହିନ୍ଦୀ ଓ ଭାଷାଗତ ଆଧିପତ୍ୟ

ଭାଷାଗତ ଆଧିପତ୍ୟ ଦୃଷ୍ଟିରୁ ହିନ୍ଦୀ ଇଂରାଜୀ ପଛକୁ ରହିଛି କାରଣ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ଏବଂ ଅଧିକାଂଶ ଘରୋଇ ଫିନଟେକ ପ୍ଲାଟଫର୍ମରୁ ଆରମ୍ଭ କରି ଅଧିକାଂଶ ପ୍ଲାଟଫର୍ମ ହିନ୍ଦୀରେ ଇଣ୍ଟରଫେସ ସ୍ଥାନୀୟକରଣକୁ ପ୍ରାଥମିକତା ଦିଅନ୍ତି । ଏହା ଅନେକ ଭାରତୀୟ ଅନ୍ୟ ଭାଷାଭାଷୀ ରାଜ୍ୟରେ ସ୍କୁଲରେ ପଢ଼ାଯାଏ । ବଲିଉଡ ଚଳଚ୍ଚିତ୍ର ଏବଂ ଟେଲିଭିଜନ ମନୋରଞ୍ଜନ ଏବଂ ଖବର ମାଧ୍ୟମରେ ଲୋକପ୍ରିୟ ସଂସ୍କୃତିରେ ହିନ୍ଦୀର ଆଧିପତ୍ୟ ଯୋଗୁଁ ବିଶେଷକରି ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟର ଅନ୍ୟ ଭାଷାଭାଷୀମାନେ ହିନ୍ଦୀ ବିଷୟବସ୍ତୁ ପାଇଥାନ୍ତି କିମ୍ବା ହିନ୍ଦୀରେ ଇଣ୍ଟରଫେସ୍ ବ୍ୟବହାର କରିଥାନ୍ତି । ଅପରପକ୍ଷରେ ତାମିଲ ଭଳି ରାଜ୍ୟଭାଷା ପ୍ରତିଷ୍ଠା ପାଇଁ ଐତିହାସିକ ଭାବେ ସାମାଜିକ-ଭାଷାଗତ ଆନ୍ଦୋଳନ କରିଥିବା ରାଜ୍ୟର ବ୍ୟବହାରକାରୀମାନେ ବିକଳ୍ପ ଭାବେ ହିନ୍ଦୀ ପରିବର୍ତ୍ତେ ଇଂରାଜୀକୁ ବାଛିଥାନ୍ତି ।

ଭୌଗୋଳିକ ଅବସ୍ଥିତି ଏବଂ ପ୍ରତିନିଧିତ୍ୱ

ବିଶିଷ୍ଟ ଦଳିତ ଶିକ୍ଷାବିତ୍ ରାଜ କୁମାର ତାଙ୍କ ଲେଖାରେ ପୂର୍ବ/ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ଜାତିର ପୁରୁଷ ଲେଖକମାନେ ସାହିତ୍ୟ କ୍ଷେତ୍ର ଦଖଲ କରି [10] ସାଧାରଣ ବର୍ଣ୍ଣନାରେ ପ୍ରଭାବଶାଳୀ ଜାତି-ପକ୍ଷପାତିତା ପରିବର୍ତ୍ତନକୁ ପ୍ରଭାବିତ କରିବା ବାଦରେ ଲେଖିଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାର ମହିଳାଙ୍କ ସୃଜନଶୀଳ ଲେଖାକୁ ଏହି ସାହିତ୍ୟ ସମ୍ପ୍ରଦାୟ କିପରି ଦମନ କରିଛି [11] ତା’ ବାବଦରେ ସେ ଯୁକ୍ତି କରିଛନ୍ତି । ସାଧାରଣ ଭାବେ ଓଡ଼ିଆ ଭାଷାର ବିଷୟବସ୍ତୁରେ ମଧ୍ୟ ସମାନ ପ୍ରଭାବ ଦେଖିବାକୁ ମିଳୁଛି । ମାନକ ଲେଖାରେ ଓଡ଼ିଆ ବୃହତଭାଷା ଭିତରେ ବିଭିନ୍ନ ଉପଭାଷା ଓ ଭାଷାର ପ୍ରତିନିଧିତ୍ୱ ଅତି ଊଣା ଏବଂ ପ୍ରାକୃତିକ ଭାବରେ ମାନକ ଓଡ଼ିଆ ଡିଜିଟାଲ ବିଷୟବସ୍ତୁ ଏହି ପକ୍ଷପାତକୁ ପ୍ରତିଫଳିତ କରିଥାଏ ।

ସମ୍ବଲପୁରୀ ମାତୃଭାଷୀ (ବରଗଡ଼ ବୋଲି) ତୁଲାରାମ ବୌଦ୍ଧ ଗୋଟିଏ ପଟେ ନିଜ ମାତୃଭାଷାରେ ଏକ ସମୃଦ୍ଧ ଶବ୍ଦଭଣ୍ଡାର ଦେଖନ୍ତି । କିନ୍ତୁ ଅନ୍ୟ ପଟେ ସ୍କୁଲରେ ପାଠ ପଢ଼ିବା ସତ୍ତ୍ୱେ ସାଧାରଣ ଓଡ଼ିଆରେ ବୁଝିବା ଓ ଲେଖିବା ପାଇଁ କଷ୍ଟକରିବାକୁ ପଡ଼ିଥିଲା । ପ୍ରଶାନ୍ତ ହେମ୍ବ୍ରମ ସାନ୍ତାଳୀ ଭାଷା କହି ବଡ଼ ହୋଇଥିଲେ । ସେ ପ୍ଲାଟଫର୍ମ ଏବଂ ଆପ୍ଲିକେସନ, ବିଶେଷକରି ଇଣ୍ଟରଫେସ୍ ସ୍ଥାନୀୟକରଣ ଏବଂ ସର୍ତ୍ତାବଳୀରେ ଓଡ଼ିଆ ଅନୁବାଦର ମାନ ବହୁତ ଊଣା ବୋଲି ଅନୁଭବ କରନ୍ତି । ସେ ଏଭଳି ବିଷୟବସ୍ତୁ ଉପରେ କମ ଭରସା କରନ୍ତି ଏବଂ ପ୍ରତିବଦଳରେ ଇଂରାଜୀରେ ପଢ଼ନ୍ତି । ଏହି ପ୍ରତିବନ୍ଧକକୁ ସ୍ୱୀକାର କରି ସେ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ପ୍ଲାଟଫର୍ମକୁ ଅଧିକ ସୁଲଭ କରିବା ପାଇଁ ସାନ୍ତାଳୀରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମର ଇଣ୍ଟରଫେସ ସ୍ଥାନୀୟକରଣରେ ଯୋଗଦାନ କରୁଛନ୍ତି ।

ଲୋକଙ୍କ ଅନୁଭୂତିରୁ ଶିକ୍ଷା

ମୁଁ ସାକ୍ଷାତକାର କରିଥିବା ଏହି ତିନି ଜଣ ବ୍ୟବହାରକାରୀ ନିଜ ଏବଂ ସେମାନଙ୍କ ସାଙ୍ଗ ଏବଂ ପରିବାର ଲୋକଙ୍କ ଡିଜିଟାଲ ଦୁର୍ବଳତା ବାବଦୀୟ ଅନୁଭୂତି ବଖାଣିଥିଲେ । ଇଣ୍ଟରଫେସ ସ୍ଥାନୀୟକରଣ, ଭାଷା ସାବଲୀଳତା, ଡିଜିଟାଲ ସାବଲୀଳତା, ଜାତି, ଲିଙ୍ଗ, ଅର୍ଥନୈତିକ ସ୍ତର ଆଦି ଏସବୁ ଦୁର୍ବଳତା ବିଭିନ୍ନ ବର୍ଗର ଲୋକଙ୍କୁ ଭିନ୍ନ ଭିନ୍ନ ଭାବେ ପ୍ରଭାବିତ କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣକାରୀ ମାନଦଣ୍ଡ  ।

ରଚନା ପରିବେଶରେ ବ୍ରାହ୍ମଣ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ଜାତିର ଅଧିକ ଉପସ୍ଥିତି ଡିଜିଟାଲ ଦୁନିଆକୁ ସଂସ୍କୃତ ଦ୍ୱାରା ଅଧିକ ପ୍ରଭାବିତ କରିଥାଏ । ଏହା ଐତିହାସିକ ଭାବେ ବ୍ରାହ୍ମଣ ଏବଂ ଅନ୍ୟ ଉଚ୍ଚ ଜାତିମାନଙ୍କ ଦ୍ୱାରା ବ୍ୟବହୃତ ଏକ ଭାଷା ଏବଂ ସାଧାରଣ ଲୋକଙ୍କ ପାଇଁ ଅବୋଧ୍ୟ । ଏହି ଆଧିପତ୍ୟ ଜାତିବାଦ-ବିରୋଧୀ ଆନ୍ଦୋଳନ ଏବଂ ଅନ୍ୟାନ୍ୟ ସାମାଜିକ ସଂସ୍କାର ସମ୍ବନ୍ଧିତ ଉଭୟ ଡିଜିଟାଲ ଏବଂ ଅନ୍ୟାନ୍ୟ ବୃହତ୍ତର ରଚନାର ଅଭିବୃଦ୍ଧିକୁ ମଧ୍ୟ ମନ୍ଥର କରିଦେଇଛି ।  ସାମଗ୍ରିକ ଓଡ଼ିଆ ବୃହତ ଭାଷା ବିଷୟବସ୍ତୁରେ ଓଡ଼ିଆର କେନ୍ଦ୍ରୀୟ/ମୋଗଲବନ୍ଦୀ ଉପଭାଷାର ପ୍ରାଧାନ୍ୟ ଇଣ୍ଟରଫେସ ସ୍ଥାନୀୟକରଣ ପାଇଁ ଶବ୍ଦାବଳୀରେ ପ୍ରରଥମଟିର ଅଧିକ ବ୍ୟବହାରକୁ ପ୍ରଭାବିତ କରିଛି । ପ୍ଲାଟଫର୍ମ, ସଫ୍ଟୱେର ଏବଂ ୱେବସାଇଟର ଡିଜିଟାଲ ଇଣ୍ଟରଫେସ ଏବଂ ଯେଉଁଠାରେ ଅନୂଦିତ ନୀତି ରହିଛି ସେଠାରେ ଏକ ଅଭିଜାତ ଓଡ଼ିଆ ସଂସ୍କରଣ ଦେଖିବାକୁ ମିଳେ । ଉପକୂଳ ଓଡ଼ିଶା ବାହାରେ ଥିବା ଅବହେଳିତ ଜାତିଗୋଷ୍ଠୀ ଏବଂ ବକ୍ତାମାନଙ୍କ ଏହା ବୁଝିବା କାଠିକର ପାଠ ।

ଅଧୁନା ଓଡ଼ିଆ ବୃହତଭାଷାରେ ଉପଲବ୍ଧ ଇଣ୍ଟରଫେସଗୁଡ଼ିକ ଅତି କମ ଏବଂ ସେସବୁରେ ମୁଖ୍ୟତଃ ଉଚ୍ଚ ମାନର ଅନୁବାଦର ଅଭାବ ରହିଛି । ଏହା ୱେବ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥାଏ କାରଣ ସେମାନେ ପ୍ରାୟତଃ କ୍ଲିକବେଟ ଶିରୋନାମ ଏବଂ ବିଭ୍ରାନ୍ତିକର ବିଜ୍ଞାପନ ଦେଖିବାକୁ ପାଇଥାନ୍ତି । ଏହା ଛଡ଼ା ସ୍ପାମ କଲ ଏବଂ ଟେକ୍ସଟ ମେସେଜରେ ଅଜଣା ବ୍ୟକ୍ତିମାନେ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ଅନ୍ୟ ସମ୍ବେଦନଶୀଳ ସୂଚନା ମାଗିଥାନ୍ତି । ଅଧିକାଂଶ ବିଜ୍ଞାପନ ଏବଂ ସ୍ପାମ ମେସେଜ ଏବେ ମଧ୍ୟ ଇଂରାଜୀରେ ବିତରଣ ହେଉଥିବାରୁ ଇଂରାଜୀରେ କମ ଦକ୍ଷତା ଥିବା ଅନେକ ଲୋକଙ୍କ ପାଇଁ ସ୍ପାମ ଏବଂ ବିଭ୍ରାନ୍ତିକର ବିଷୟବସ୍ତୁ ପ୍ରତି ଦୁର୍ବଳତା ଆହୁରି ବଢ଼ିଯାଇଥାଏ ।

ଓଡ଼ିଆର କେନ୍ଦ୍ରୀୟ ଉପଭାଷା ଛଡ଼ା ଅନ୍ୟ ଉପଭାଷାଭାଷୀମାନେ ସେମାନଙ୍କ ଇଣ୍ଟରଫେସ ବୁଝିବାରେ କଷ୍ଟ ଭୋଗିଥାନ୍ତି । ଯଦିଓ କେତେକ ପ୍ଲାଟଫର୍ମ ସଚେତନ ଭାବେ ଓଡ଼ିଆରେ ଇଣ୍ଟରଫେସ ରଖିଛନ୍ତି ସ୍ଥାନୀୟ ଶବ୍ଦ ଏବଂ ବ୍ୟବହାରକାରୀ ସହାୟକ ପୁସ୍ତିକା ଉଚ୍ଚ ମାନ ଏବଂ ନିରନ୍ତର ମାନକୀକରଣ ଏଯାବତ ଦେଖିବାକୁ ମିଳିନାହିଁ । ଏହା ବ୍ୟବହାରକାରୀଙ୍କୁ ଦୀର୍ଘ ଦିନ ଧରି ଏଭଳି ଇଣ୍ଟରଫେସ ବ୍ୟବହାର କରିବାରୁ ରୋକିଥାଏ ।

ବ୍ୟବହାରକାରୀମାନେ ପ୍ରାୟତଃ ଜଣେ ଆଉଜଣଙ୍କଠାରୁ ଶିଖିବା ପାଇଁ ଛୋଟ ଛୋଟ ଦଳ ଗଢ଼ିଥାନ୍ତି । ଡିଜିଟାଲ ସୁରକ୍ଷା ଏବଂ ନିରାପତ୍ତା ବିଷୟରେ ୟୁଟ୍ୟୁବରେ ଭିଡିଓ ଉପଲବ୍ଧ ହେବା ମଧ୍ୟ ବହୁତ ସହାୟକ ହେଉଛି । ହିନ୍ଦୀ ଭଳି ଭାଷାରେ ଥିବା ଭିଡିଓ ଓଡ଼ିଆ ଭାଷାଭାଷୀମାନେ କିଛି ପରିମାଣରେ ବୁଝୁଛନ୍ତି । ଏହା ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଜିଟାଲ ଆଦାନପ୍ରଦାନ ବାବଦରେ ଅଧିକ ସଚେତନ ସିଦ୍ଧାନ୍ତ ନେବାରେ ସାହାଯ୍ୟ କରୁଛି । ଆଉ ଟିକେ ପଟୁ ବ୍ୟବହାରକାରୀମାନେ ଏହାକୁ ଆଉଥରେ ପରଖିବା ପାଇଁ ଅନଲାଇନରେ ଖୋଜନ୍ତି ଏବଂ ସେମାନେ ସେମାନଙ୍କ ବିଭିନ୍ନ ଗୋଷ୍ଠୀରେ ଅନ୍ୟମାନଙ୍କୁ ଶିଖାଇବାରେ ଦୂତ ଭୂମିକା ନିଭାନ୍ତି ।

ଡିଜିଟାଲ ନିରାପତ୍ତା ସୁଲଭତାର ଏହି ଜଟିଳ ଦୃଶ୍ୟକୁ ଆଖିରେ ରଖି ମୁଁ ନିମ୍ନଲିଖିତ ପରାମର୍ଶ ଦେଉଛି:

ପ୍ରକୃତରେ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ସମାନ ଡିଜିଟାଲ ଦୁନିଆ ଗଢ଼ିବା ପାଇଁ ଓଡ଼ିଶାର ଅନେକ ଅବହେଳିତ ଗୋଷ୍ଠୀଙ୍କ ବାବଦରେ ଗଭୀର ସାମାଜିକ-ଅର୍ଥନୈତିକ ଏବଂ ଡିଜିଟାଲ ଉତ୍ପୀଡ଼ନର ଉଚ୍ଛେଦ ଜରୁରୀ । ଏଥିପାଇଁ ଜାତିପ୍ରଥା, ପୁରୁଷପ୍ରଧାନତା ଓ ଅର୍ଥନୈତିକ ଅସମାନତାର ଉଚ୍ଛେଦ କରିବା ପାଇଁ ସକାରାତ୍ମକ ପଦକ୍ଷେପ ନେବାକୁ ପଡ଼ିବ । ଅବହେଳିତ ଗୋଷ୍ଠୀମାନଙ୍କର ଡିଜିଟାଲ ଅନୁଭୂତିକୁ ଅଧିକ ଅନ୍ତର୍ଭୁକ୍ତିମୂଳକ ଏବଂ ସୁଲଭ କରିବା ପାଇଁ ତୁରନ୍ତ ବୈଷୟିକ ସଂସ୍କାର ପାଇଁ ସୁପାରିସ ଉଲ୍ଲେଖ କରିବା ସହ ସ୍ଥାୟୀ ପରିବର୍ତ୍ତନ ପାଇଁ ସାମାଜିକ ନ୍ୟାୟ ଆନ୍ଦୋଳନ, ସାର୍ବଜନୀନ ଆଲୋଚନା ଏବଂ ଏହି ପ୍ରସଙ୍ଗଗୁଡ଼ିକ ଉପରେ ରଚନା ଏବଂ ବିତରଣର ମିଳିତ ପ୍ରୟାସ ଆବଶ୍ୟକ । ଐତିହାସିକ ଭାବେ ଅନେକ ଗୋଷ୍ଠୀର ଉତ୍ପୀଡ଼ନକୁ ସ୍ୱୀକାର କରିବା ଓ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ବଢ଼ାଇବା ପାଇଁ ଉପାୟ ପାଞ୍ଚିବା ସହ ସମସ୍ତ ଉତ୍ପୀଡ଼ନ ବ୍ୟବସ୍ଥା ଉଚ୍ଛେଦ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବାଦ୍ୱାରା ହିଁ ଡିଜିଟାଲ ସୁରକ୍ଷା ଏବଂ ନିରାପତ୍ତା ସ୍ଥିତିରେ ଉନ୍ନତି ହେବ ।

ଭାଗନେଇଥିବା ଭାଷା ସମୂଦାୟମାନଙ୍କର ଆହୁରି କାହାଣୀ ଓ ସୂଚନା ପାଇଁ “Digital Security + Language” [14] ପ୍ରକଳ୍ପ ପୃଷ୍ଠା ଦେଖନ୍ତୁ