ଓପନ ସୋର୍ସ ପଦକ୍ଷେପସବୁ ଏବେ ମଧ୍ୟ ଚାଲିଥିବା ବେଳେ Google ଏବଂ Microsoft ଉଭୟ ଏହି ବର୍ଷ ନିଜ ନିଜର ମେସିନ ଅନୁବାଦ ଇଞ୍ଜିନରେ ଭାରତର ଓଡ଼ିଆ ଭାଷା [4] ଯୋଡ଼ିଛନ୍ତି । ଫେବୃଆରୀରେ Google Translate [5] ଓ ଅଗଷ୍ଟ ୧୩ ତାରିଖରେ Microsoft [6] ।
ଓଡ଼ିଆ [4] ଭାରତୀୟ ରାଜ୍ୟ ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡର ଦ୍ୱିତୀୟ ସରକାରୀ ଭାଷା । ଏହା ପ୍ରାୟ ୩୫ ମିଲିୟନ (୩.୫ କୋଟି) ଲୋକଙ୍କ ଦ୍ୱାରା ମାତୃଭାଷା ଭାବେ ଏବଂ ପ୍ରାୟ ୪ ମିଲିୟନ (୪୦ ଲକ୍ଷ) ଲୋକଙ୍କ ଦ୍ୱାରା ଦ୍ୱିତୀୟ ଭାଷା ଭାବେ କଥାବାର୍ତ୍ତାରେ ବ୍ୟବହୃତ ହେଉଛି । ଏହା ୧,୫୦୦ ବର୍ଷର ସାହିତ୍ୟିକ ପରମ୍ପରା ସମେତ ଅନ୍ୟାନ୍ୟ ଭାରତ ସରକାରକୃତ ଆବଶ୍ୟକତା ଉପରେ ଆଧାରିତ ଦେଶର ଅନ୍ୟତମ ଶାସ୍ତ୍ରୀୟ ଭାଷା [7] ଭାବେ ବର୍ଗୀକୃତ କରାଯାଇଛି ।
ତଥାପି ଓଡ଼ିଆର ଡିଜିଟାଲ ଉପସ୍ଥିତି ସୀମିତ [8] । ଉଦାହରଣ ସ୍ୱରୂପ: ପାଠ୍ୟ ବିଷୟବସ୍ତୁର ସର୍ବବୃହତ ଭଣ୍ଡାର ମଧ୍ୟରୁ ଅନ୍ୟତମ ଓଡ଼ିଆ ଉଇକିପିଡ଼ିଆ ୨୦୧୧ରେ ନଅ ବର୍ଷ ଧରି ନିଷ୍କ୍ରିୟ ରହିବା [9] ପରେ ପୁନର୍ଜୀବିତ ହେଲା ଓ ଏଥିରେ ମାତ୍ର ୧୫,୮୫୮ଟି ଲେଖା ରହିଛି । ଅପର ପକ୍ଷେ ଓଡ଼ିଆ ଭଳି ପ୍ରାୟ ସମାନ ସଂଖ୍ୟାର ବକ୍ତା ମାନଙ୍କ ଦ୍ୱାରା କଥିତ ମାଲାୟାଲମ ଭାଷାର ଉକିଡିପିଆରେ ପ୍ରାୟ ୭୦ ହଜାର ପ୍ରସଙ୍ଗ [10] ରହିଛି । ଓଡ଼ିଆରେ ବିଷୟବସ୍ତୁ ଅନେକ ଦିନ ଯାଏ କେବଳ ଛବି ଏବଂ ପିଡିଏଫ ଭାବେ ଅନଲାଇନରେ ରହିଥିଲା । ଏବେ ମଧ୍ୟ ବାକି ଅନେକ ଓ ଓଡ଼ିଶା ରାଜ୍ୟ ସରକାରଦ୍ୱାରା ପରିଚାଳିତ ପତ୍ରିକା ଉତ୍କଳ ପ୍ରସଙ୍ଗ [11] ପ୍ରତିଛବି ଏବଂ ପିଡିଏଫର ମିଶ୍ରଣରେ ପ୍ରକାଶ ଜାରି ରଖିଛନ୍ତି । ୟୁନିକୋଡକୁ ବିଳମ୍ବରେ ଗ୍ରହଣ କରିବା ବିଷୟବସ୍ତୁକୁ କମ ସନ୍ଧାନଯୋଗ୍ୟ କରିଛି ।
ମେସିନ ଅନୁବାଦ ବିଷୟବସ୍ତୁକୁ ଅଧିକ ସନ୍ଧାନଯୋଗ୍ୟ ଏବଂ ଅଣ-ବକ୍ତାମାନଙ୍କ ପାଇଁ ବେଶୀ ସୁଗମ କରି ଭାଷାର ଡିଜିଟାଲ ଉପସ୍ଥିତି ବୃଦ୍ଧି କରିବାରେ ବହୁଭାବେ ସାହାଯ୍ୟ କରେ ।
Microsoft ଚାଳିତ କ୍ଲାଉଡ ସେବା ଯଥା Microsoft Translator [12] ଆପ୍, ଅଫିସ, Translator for Bing [13], ଏବଂ Azure Cognitive Services Translator [14] ଆଦି ମାଧ୍ୟମରେ ବର୍ତ୍ତମାନ ଓଡ଼ିଆରୁ ଅନୁବାଦ କାର୍ଯ୍ୟକରିବ । ଉଭୟ Microsoft Translator ଏବଂ Google Translate (ଉଭୟ ୱେବରେ [15] ଏବଂ ଏକ ଆପ୍ [16] ଭାବେ ଉପଲବ୍ଧ) ସିଧାସଳଖ ଇନପୁଟ ଘରେ କପି ହୋଇଥିବା ପାଠକୁ ଅନୁବାଦ କରିବା ପାଇଁ ଅନୁମତି ଦିଅନ୍ତି ।
ଏହା ଛଡ଼ା ଏହି ପ୍ଲାଟଫର୍ମଗୁଡ଼ିକ ପାଠ ଡକୁମେଣ୍ଟ, ୱେବସାଇଟ ଏବଂ ଲାଇଭ-ଚାଟର ଅନୁବାଦକୁ ମଧ୍ୟ ସମର୍ଥନ କରନ୍ତି । Google Translate ମୋବାଇଲ ଆପରେ ଅତିରିକ୍ତ ବୈଶିଷ୍ଟ୍ୟ ରହିଛି । ସେଥିରେ ଅଫଲାଇନ ଅନୁବାଦ, ହାତଲେଖା ଚିହ୍ନିବା, ଛବିରୁ ପାଠ [17] ସ୍କାନିଂ, ଅନୁବାଦ ଏବଂ ପଢ଼ିବା [17], ଏବଂ ବିଦେଶୀ ଭାଷାର ବକ୍ତାଙ୍କ ସହ କଥା ହେବା ପାଇଁ ଭଏସ କମାଣ୍ଡ ବ୍ୟବହାର କରିବା [18] ଅନ୍ତର୍ଭୁକ୍ତ । “ଟ୍ୟାପ ଟୁ ଟ୍ରାନ୍ସଲେଟ” (tap to translate [19]) ନାମକ ଏକ ବୈଶିଷ୍ଟ୍ୟ ଜଣେ ଉପଭୋକ୍ତାଙ୍କୁ ଯେ କୌଣସି ଆପ୍ ଭିତରେ ଟାଇପ ହୋଇଥିବା ପାଠକୁ ସିଧାସଳଖ ଅନୁବାଦ କରିବାକୁ ଅନୁମତି ଦେଇଥାଏ । ଜଣେ Googleର ସ୍ପିଚ ସିନ୍ଥେସିସ ବ୍ୟବହାର କରି ଏକ ସମର୍ଥିତ ଭାଷାରେ ପାଠଟିଏ କିପରି ଉଚ୍ଚାରଣ କରାଯାଏ ତାହା ମଧ୍ୟ ଶୁଣିପାରିବ ।
ଓଡ଼ିଆ ଯୋଡ଼ାହେବା ଏହିଭଳି ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଉତ୍ତମ ରୂପେ ଗୃହୀତ ହୋଇଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ କରିଥିଲେ:
#OdiaTranslation [20] has now been added by @Microsoft [21] to its @mstranslator [22], becoming the 12th commonly used Indian language to be added. This will facilitate access of global information in #Odia [23] and promote inter-language interactions. https://t.co/O4dZgZhbrs [24]
— CMO Odisha (@CMO_Odisha) August 17, 2020 [25]
#OdiaTranslation ଏବେ Microsoft ଦ୍ୱାରା ତାହାର Microsoft Translatorରେ ଯୋଡ଼ାଗଲା । [ଓଡ଼ିଆ] ଏଥିରେ ଯୋଡ଼ା ୧୨ତମ ସାଧାରଣ ଭାବେ ବ୍ୟବହୃତ ଭାରତୀୟ ଭାଷା ହେଲା । ଏହା ଦ୍ୱାରା ବିଶ୍ୱ ସୂଚନାକୁ ସହଜରେ ଓଡ଼ିଆରେ ପାଇହେବ ଏବଂ ଏହା ଆନ୍ତଃଭାଷା ଭାବ ବିନିମୟକୁ ପ୍ରୋତ୍ସାହିତ କରିବ ।
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ :
Used by millions across the world, @Google [26] Translate has now added #Odia [23] to its list of supported languages. A major step towards promoting digital literacy in our native language & to help millions of non-speakers embrace it. #OdiaOnGoogle [27] @CMO_Odisha [28] https://t.co/lfSskvxSjR [29]
— E&IT Department Odisha (@EIT_Odisha) February 28, 2020 [30]
ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ବ୍ୟବହୃତ Google ଟ୍ରାନ୍ସଲେଟ ଏବେ ଓଡ଼ିଆକୁ ନିଜ ଭାଷାତାଲିକାରେ ଯୋଡ଼ିଛି । ଆମ ମାତୃଭାଷାରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହନ ଦେବା ଏବଂ ଲକ୍ଷ ଲକ୍ଷ ଅଣ-ବକ୍ତାଙକୁ ଏହାକୁ ଗ୍ରହଣ କରିବାରେ ସାହାଯ୍ୟ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।
ମେସିନ ଅନୁବାଦ
ମୂଳ ଉତ୍ସର ଭାଷାରେ ଥିବା ପାଠ କିମ୍ବା କଥା ଏକ ଲକ୍ଷ୍ୟ ଭାଷାରେ ଅନୁବାଦ କରିବା ପାଇଁ ମେସିନ ଅନୁବାଦ ବ୍ୟବହୃତ ହୁଏ । Google ବ୍ୟବହାର କରୁଥିବା ଅନୁବାଦ ନିଉରାଲ ମେସିନ ଅନୁବାଦ (Neural Machine Translation [31]) ଉପରେ ନିର୍ଭର କରେ । ଏହା ଏକ କମ୍ପ୍ଯୁଟରୀ ବ୍ୟବସ୍ଥା ଓ ସେଥିରେ କୃତ୍ରିମ ନିଉରାଲ ନେଟୱାର୍କ [32] (artificial neural network ) ନାମକ ଏକ କୌଶଳ ବ୍ୟବହାର କରେ । ସେଥିରେ ଖଣ୍ଡବାକ୍ୟର ଅନୁବାଦ (ଉତ୍ସରୁ ଲକ୍ଷ୍ୟ ଭାଷା) ଥିବା ବଡ଼ ଡାଟାସେଟ ତାଲିମ ପାଇଁ ବ୍ୟବହୃତ ହୁଏ ।
ଓଡ଼ିଆକୁ ଯୋଗ କରିବା ପରେ Google Translate ଏବଂ Microsoft Translator ବର୍ତ୍ତମାନ ପ୍ରତ୍ୟେକେ ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ । Google ମୋଟ ୧୦୯ଟି ବିଶ୍ୱ ଭାଷାରେ ଉପଲବ୍ଧ ହୋଇଥିଲା ବେଳେ Microsoft ୭୩ଟିରେ ଉପଲବ୍ଧ ।
ଅପର ପକ୍ଷେ ଓପନ-ସୋର୍ସ ପଦକ୍ଷେପ ଓଡ଼ିଆରେ ସଫଳ ମେସିନ ଅନୁବାଦ ପ୍ରକଳ୍ପ ସୃଷ୍ଟି କରି ବାକି ଅଛି ।
ଅତି କମରେ ଗୋଟିଏ ଓପନ-ସୋର୍ସ ଓ ସମ୍ପ୍ରଦାୟ ନେତୃତ୍ୱରେ ଚାଳିତ ପ୍ରକଳ୍ପର ବିକାଶ ହେଉଛି — MTEnglish2Odia [33] ଓଡ଼ିଆ ଭାଷାର ଉଇକିପିଡ଼ିଆ [34] ଭଳି ଆଗରୁ ଥିଭା ଉତ୍ସରୁ ଏବଂ ଟ୍ୱିଟରରେ [35] ବ୍ଯବହାରକାରୀଙ୍କ ଯୋଗଦାନରୁ କ୍ରାଉଡ଼ସୋର୍ସିଂ [36] ଦ୍ୱାରା ଅନୁବାଦ ଯୋଡ଼ା ସଂଗ୍ରହ କରି ଏକ ମେସିନ ଅନୁବାଦ ଇଞ୍ଜିନକୁ ତାଲିମ ଦେଉଛି ।
ଏଥି ସହ ଅନ୍ୟ ସଂଗଠନଗୁଡ଼ିକଦ୍ୱାରା ମେସିନ ଅନୁବାଦ ଇଞ୍ଜିନ ତିଆରିରେ ବ୍ୟବହାର ହୋଇପାରିବା ଭଳି କିଛି ଗବେଷଣା [37] ଏବଂ ସମ୍ବଳ [38] ମଧ୍ୟ ରହିଛି
ମେସିନ ଅନୁବାଦର ରାଜନୀତି
Google Translate ବା Microsoft Translator ଦ୍ୱାରା ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ସାମାଜିକ, ଆଇନଗତ, ନୈତିକ ଏବଂ ଅଧିକାର ଦିଗରୁ ଜଟିଳ ।
ଅନେକ ଭାଷାରୁ ଶୀଘ୍ର ଖବର ପାଇବା ପାଇଁ ସାମ୍ବାଦିକମାନଙ୍କ ସମେତ ଅନେକ ଲୋକଙ୍କ ପାଇଁ କିମ୍ବା ବିଭିନ୍ନ ଭାଷା ସମ୍ବଳରୁ ଶିଖିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ମେସିନ ଅନୁବାଦ ପ୍ଲାଟଫର୍ମ ଖୁବ ଉପଯୋଗୀ ହୋଇପାରେ ।
ସେହିପରି ଭଏସ ସିନ୍ଥେସିସ ସୁବିଧା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଓ ବିଶେଷ କରି ଅନ୍ଧତ୍ୱ ଥିବା ବ୍ୟକ୍ତିମାନଙ୍କୁ ସହଜରେ ସୂଚନା ପ୍ରବେଶ ଏବଂ ବିତରଣ କରିବାରେ ସାହାଯ୍ୟ କରେ ।
ଅଳ୍ପ ସମୟ ମଧ୍ୟରେ ବ୍ୟାପକ ପରିମାଣର ବିଷୟବସ୍ତୁକୁ ଅନୁବାଦ କରିବା ପାଇଁ Google Translateର ପ୍ରତିଶ୍ରୁତି ଦିଏ ଓ ଏହାଦ୍ୱାରା ଶିକ୍ଷା, ମିଡ଼ିଆ ଏବଂ ମନୋରଞ୍ଜନ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।
ଅପର ପକ୍ଷରେ ମେସିନ ଅନୁବାଦ ଭୁଲ ସୂଚନାକୁ ବ୍ୟାପକ କରିବାରେ ସାହାଯ୍ୟ କରିପାରେ ଏବଂ ଲୋକଙ୍କ ନିଜ ଭାଷାରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଠକୁଥିବା ଠକମାନଙ୍କୁ ଭଏସ ସିନ୍ଥେସିସ ସୁବିଧା ଯୋଗାଇପାରେ ।
ବିଶ୍ୱରେ ୬,୦୦୦ରୁ ଅଧିକ ପଞ୍ଜିକୃତ ଭାଷା [39] ରହିଛି ଏବଂ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେକ ଭାଷାରେ ଲିଖନ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି । Google Translate ଏବଂ Microsoft Translator ପରି ମେସିନ ଅନୁବାଦ ପ୍ରକଳ୍ପରେ ସେହି ଭଳି ଭାଷାଗୁଡ଼ିକ ଅନ୍ତର୍ଭୁକ୍ତ ହେବାକୁ ସୁଯୋଗ ପାଇଛନ୍ତି ।
ଅନଲାଇନ ବିଷୟବସ୍ତୁ ଉପଲବ୍ଧ ହେବା ଏବଂ ଏକ ଭାଷା କହୁଥିବା ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଲାଭକାରୀ ନିଗମଗୁଡ଼ିକଙ୍କ ପାଇଁ ନିଜ ବ୍ୟବସ୍ଥା ଭିତରେ କେଉଁ ଭାଷା ଅନ୍ତର୍ଭୁକ୍ତ କରିବେ ତାହା ସ୍ଥିର କରିବାରେ ପ୍ରମୁଖ ବିଚାରଯୋଗ୍ୟ କାରଣ । ଏକ ନିଗମ ଯେତେ ଅଧିକ ଭାଷା ସମର୍ଥନ କରେ, ଏହା ଉପଭୋକ୍ତାଙ୍କୁ ଯେତେ ଅଧିକ ଲକ୍ଷ୍ୟ ବିଷୟବସ୍ତୁ ଦେଇପାରିବ ଏବଂ ଏହା ବିଜ୍ଞାପନରୁ ଯେତେ ଅଧିକ ଲାଭ [40] ପାଇପାରିବ ।
ଏହା ଛଡ଼ା Google Translate ଭଳି ପ୍ରକଳ୍ପ ଉପରେ ସ୍ୱତ୍ୱ ଏବଂ ଦରମାକୁ ନେଇ ନୈତିକ ପ୍ରଶ୍ନ ଉଠିଛି । Google Translateର ଅନୁବାଦ ସମୀକ୍ଷା କରିବା ପାଇଁ ଏକ ଯୋଗଦାନକାରୀ ସମ୍ପ୍ରଦାୟ [41] ବ୍ୟବସ୍ଥା ରହିଛି (ଯାହା ଇଞ୍ଜିନିୟରମାନଙ୍କୁ ନିୟମିତ ଭାବରେ ଟୁଲଟିକୁ ଉନ୍ନତ କରିବାରେ ସାହାଯ୍ୟ କରେ) ।
Google ଏକ ଲାଭକାରୀ କମ୍ପାନୀ ଓ ତାହାର ଅନେକ ଦେୟ ଉତ୍ପାଦ/ସେବା ରହିଛି (ଏକ କ୍ଲାଉଡ ଅନୁବାଦ ସେବା [42] ଏଥିରେ ଅନ୍ତର୍ଭୁକ୍ତ) । ବ୍ୟକ୍ତିଗତ ଭାବେ ସ୍ୱେଚ୍ଛାସେବୀ କିମ୍ବା ଅନେକ ସାର୍ବଜନୀନ ଉତ୍ସରୁ ମେସିନ ଶିଖୁଥିଲେ ହେଁ ସେମାନଙ୍କୁ ଶ୍ରେୟ ବା ଦରମା ଦିଆଯାଏ ନାହିଁ ।
ମେସିନ ଶିକ୍ଷା ଏବଂ କୃତ୍ରିମ ବୁଦ୍ଧିମତାରେ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉନ୍ନତି କରିବା ପାଇଁ ବ୍ଯକ୍ତିଗତ/ଗୋପନୀୟ ଯୋଗାଯୋଗର ବ୍ୟବହାର ମଧ୍ୟ ଗୋପନୀୟତା ଦୃଷ୍ଟିକୋଣରୁ ବିବାଦୀୟ । ତେବେ Google ଏପରି ଡାଟାକୁ ନାମହୀନ [43] କରି ବ୍ୟବହାର କରିବା ଦିଗରେ କାମ କରୁଛି ।
ଭାରତ ଭଳି ଦେଶରେ ବହୁଭାଷାଗତ ବିଷୟବସ୍ତୁ ତିଆରି ଖର୍ଚ୍ଚ କାରଣରୁ ଆଗକୁ ବଢ଼ିବାରେ ଅସୁବିଧାର ସମ୍ମୁଖୀନ ହୁଏ । ଏଣୁ Google Translate ଓ Microsoft Translator ଭଳି ଉତ୍ପାଦ ଭାରତୀୟ ବିଷୟବସ୍ତୁ ଅର୍ଥନୀତିରେ ବିପ୍ଳବ ସୃଷ୍ଟି କରିପାରେ । ଏସବୁ ସ୍ୱେଚ୍ଛାସେବୀ କାର୍ଯ୍ୟ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ଥିବା ବର୍ତ୍ତମାନର ୨୩ଟି ଭାରତୀୟ ଭାଷାରେ [44] ଥିବା ଉଇକିପିଡ଼ିଆ କିମ୍ବା ବହୁଭାଷାୀୟ ଅନଲାଇନ ଶିଶୁ ସାହିତ୍ୟ ପ୍ଲାଟଫର୍ମ StoryWeaver [45] ଭଳି ପ୍ରକଳ୍ପ ପାଇଁ ଏକ ପାର୍ଥକ୍ୟ ସୃଷ୍ଟି କରିପାରିବେ ।
ଅନେକ ଭାରତୀୟ ଭାଷା ଦ୍ରୁତ ଗତିରେ ଲୋପ ପାଇବା [46] ଏବଂ ନିରକ୍ଷରତା ତଥା ଡିଜିଟାଲ ଅଭିଗମ୍ୟତାର ଅସୁବିଧାକୁ ଦୂର କରିବା ପାଇଁ ଆଉ ଯୋଗାଯୋଗ ମାର୍ଗକୁ ସୁଗମ କରିବା ପାଇଁ ସ୍ୱର ଏବଂ ଦୃଶ୍ୟ ପ୍ରଯୁକ୍ତିରେ ଅଧିକ ନବସୃଜନର ଆବଶ୍ୟକତା ରହିଛି । ଭାଷା ବିଲୋପକୁ ରୋକିବା ପାଇଁ ମେସିନ ଅନୁବାଦ ଏକ ବ୍ୟାବହାରିକ ଉପକରଣ ହୋଇପାରେ କିନ୍ତୁ ଭାରତରେ ଏବେ ବି ଏହା ବହୁ ଆଗକୁ ଯିବା ବାକି ଅଛି ।
ଦାବୀ ଅସ୍ୱୀକାର: ଲେଖକ ୨୦୧୧ରୁ ଓଡିଆ ଉଇକିପିଡ଼ିଆ [47] ସହ ଜଣେ ସ୍ୱେଚ୍ଛାସେବୀ ଭାବେ ଏବଂ MTEnglish2Odia [33] ସହିତ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଡ଼ିତ ।