Google ଓ Microsoft ଅନୁବାଦ ସେବାରେ ଭାରତର ଓଡ଼ିଆ ଭାଷା ଯୋଡ଼ାଗଲା

Collage of Odia Book Covers. Image via Flickr by Erin Mclaughlin. From the Flickr set Odia Book Covers. CC BY 2.0.

ଓଡ଼ିଆ ବହିସବୁର କୋଲାଜ । Flickr ଜରିଆରେ ଏରିନ ମ୍ୟାକଲାଫଲିନଙ୍କ ଛବି । Flickr ସେଟ “Odia Book Covers”ରୁ । CC-BY.2.0

ଓପନ ସୋର୍ସ ପଦକ୍ଷେପସବୁ ଏବେ ମଧ୍ୟ ଚାଲିଥିବା ବେଳେ Google ଏବଂ Microsoft ଉଭୟ ଏହି ବର୍ଷ ନିଜ ନିଜର ମେସିନ ଅନୁବାଦ ଇଞ୍ଜିନରେ ଭାରତର ଓଡ଼ିଆ ଭାଷା ଯୋଡ଼ିଛନ୍ତି । ଫେବୃଆରୀରେ Google Translate ଓ ଅଗଷ୍ଟ ୧୩ ତାରିଖରେ Microsoft

ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡର ଦ୍ୱିତୀୟ ସରକାରୀ ଭାଷା । ଏହା ପ୍ରାୟ ୩୫ ମିଲିୟନ (୩.୫ କୋଟି) ଲୋକଙ୍କ ଦ୍ୱାରା ମାତୃଭାଷା ଭାବେ ଏବଂ ପ୍ରାୟ ୪ ମିଲିୟନ (୪୦ ଲକ୍ଷ) ଲୋକଙ୍କ ଦ୍ୱାରା ଦ୍ୱିତୀୟ ଭାଷା ଭାବେ କଥାବାର୍ତ୍ତାରେ ବ୍ୟବହୃତ ହେଉଛି । ଏହା ୧,୫୦୦ ବର୍ଷର ସାହିତ୍ୟିକ ପରମ୍ପରା ସମେତ ଅନ୍ୟାନ୍ୟ ଭାରତ ସରକାରକୃତ ଆବଶ୍ୟକତା ଉପରେ ଆଧାରିତ ଦେଶର ଅନ୍ୟତମ ଶାସ୍ତ୍ରୀୟ ଭାଷା ଭାବେ ବର୍ଗୀକୃତ କରାଯାଇଛି ।

ତଥାପି ଓଡ଼ିଆର ଡିଜିଟାଲ ଉପସ୍ଥିତି ସୀମିତ । ଉଦାହରଣ ସ୍ୱରୂପ: ପାଠ୍ୟ ବିଷୟବସ୍ତୁର ସର୍ବବୃହତ ଭଣ୍ଡାର ମଧ୍ୟରୁ ଅନ୍ୟତମ ଓଡ଼ିଆ ଉଇକିପିଡ଼ିଆ ୨୦୧୧ରେ ନଅ ବର୍ଷ ଧରି ନିଷ୍କ୍ରିୟ ରହିବା ପରେ ପୁନର୍ଜୀବିତ ହେଲା ଓ ଏଥିରେ ମାତ୍ର ୧୫,୮୫୮ଟି ଲେଖା ରହିଛି । ଅପର ପକ୍ଷେ ଓଡ଼ିଆ ଭଳି ପ୍ରାୟ ସମାନ ସଂଖ୍ୟାର ବକ୍ତା ମାନଙ୍କ ଦ୍ୱାରା କଥିତ ମାଲାୟାଲମ ଭାଷାର ଉକିଡିପିଆରେ ପ୍ରାୟ ୭୦ ହଜାର ପ୍ରସଙ୍ଗ ରହିଛି । ଓଡ଼ିଆରେ ବିଷୟବସ୍ତୁ ଅନେକ ଦିନ ଯାଏ କେବଳ ଛବି ଏବଂ ପିଡିଏଫ ଭାବେ ଅନଲାଇନରେ ରହିଥିଲା । ଏବେ ମଧ୍ୟ ବାକି ଅନେକ ଓ ଓଡ଼ିଶା ରାଜ୍ୟ ସରକାରଦ୍ୱାରା ପରିଚାଳିତ ପତ୍ରିକା ଉତ୍କଳ ପ୍ରସଙ୍ଗ ପ୍ରତିଛବି ଏବଂ ପିଡିଏଫର ମିଶ୍ରଣରେ ପ୍ରକାଶ ଜାରି ରଖିଛନ୍ତି । ୟୁନିକୋଡକୁ ବିଳମ୍ବରେ ଗ୍ରହଣ କରିବା ବିଷୟବସ୍ତୁକୁ କମ ସନ୍ଧାନଯୋଗ୍ୟ କରିଛି ।

ମେସିନ ଅନୁବାଦ ବିଷୟବସ୍ତୁକୁ ଅଧିକ ସନ୍ଧାନଯୋଗ୍ୟ ଏବଂ ଅଣ-ବକ୍ତାମାନଙ୍କ ପାଇଁ ବେଶୀ ସୁଗମ କରି ଭାଷାର ଡିଜିଟାଲ ଉପସ୍ଥିତି ବୃଦ୍ଧି କରିବାରେ ବହୁଭାବେ ସାହାଯ୍ୟ କରେ ।

Microsoft ଚାଳିତ କ୍ଲାଉଡ ସେବା ଯଥା Microsoft Translator ଆପ୍, ଅଫିସ, Translator for Bing, ଏବଂ Azure Cognitive Services Translator ଆଦି ମାଧ୍ୟମରେ ବର୍ତ୍ତମାନ ଓଡ଼ିଆରୁ ଅନୁବାଦ କାର୍ଯ୍ୟକରିବ । ଉଭୟ Microsoft Translator ଏବଂ Google Translate (ଉଭୟ ୱେବରେ ଏବଂ ଏକ ଆପ୍ ଭାବେ ଉପଲବ୍ଧ) ସିଧାସଳଖ ଇନପୁଟ ଘରେ କପି ହୋଇଥିବା ପାଠକୁ ଅନୁବାଦ କରିବା ପାଇଁ ଅନୁମତି ଦିଅନ୍ତି ।

ଏହା ଛଡ଼ା ଏହି ପ୍ଲାଟଫର୍ମଗୁଡ଼ିକ ପାଠ ଡକୁମେଣ୍ଟ, ୱେବସାଇଟ ଏବଂ ଲାଇଭ-ଚାଟର ଅନୁବାଦକୁ ମଧ୍ୟ ସମର୍ଥନ କରନ୍ତି । Google Translate ମୋବାଇଲ ଆପରେ ଅତିରିକ୍ତ ବୈଶିଷ୍ଟ୍ୟ ରହିଛି । ସେଥିରେ ଅଫଲାଇନ ଅନୁବାଦ, ହାତଲେଖା ଚିହ୍ନିବା, ଛବିରୁ ପାଠ ସ୍କାନିଂ, ଅନୁବାଦ ଏବଂ ପଢ଼ିବା, ଏବଂ ବିଦେଶୀ ଭାଷାର ବକ୍ତାଙ୍କ ସହ କଥା ହେବା ପାଇଁ ଭଏସ କମାଣ୍ଡ ବ୍ୟବହାର କରିବା ଅନ୍ତର୍ଭୁକ୍ତ । “ଟ୍ୟାପ ଟୁ ଟ୍ରାନ୍ସଲେଟ” (tap to translate) ନାମକ ଏକ ବୈଶିଷ୍ଟ୍ୟ ଜଣେ ଉପଭୋକ୍ତାଙ୍କୁ ଯେ କୌଣସି ଆପ୍ ଭିତରେ ଟାଇପ ହୋଇଥିବା ପାଠକୁ ସିଧାସଳଖ ଅନୁବାଦ କରିବାକୁ ଅନୁମତି ଦେଇଥାଏ । ଜଣେ Googleର ସ୍ପିଚ ସିନ୍ଥେସିସ ବ୍ୟବହାର କରି ଏକ ସମର୍ଥିତ ଭାଷାରେ ପାଠଟିଏ କିପରି ଉଚ୍ଚାରଣ କରାଯାଏ ତାହା ମଧ୍ୟ ଶୁଣିପାରିବ ।

ଓଡ଼ିଆ ଯୋଡ଼ାହେବା ଏହିଭଳି ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଉତ୍ତମ ରୂପେ ଗୃହୀତ ହୋଇଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ କରିଥିଲେ:

#OdiaTranslation ଏବେ  Microsoft ଦ୍ୱାରା ତାହାର Microsoft Translatorରେ ଯୋଡ଼ାଗଲା  । [ଓଡ଼ିଆ] ଏଥିରେ ଯୋଡ଼ା ୧୨ତମ ସାଧାରଣ ଭାବେ ବ୍ୟବହୃତ ଭାରତୀୟ ଭାଷା ହେଲା । ଏହା ଦ୍ୱାରା ବିଶ୍ୱ ସୂଚନାକୁ ସହଜରେ ଓଡ଼ିଆରେ ପାଇହେବ ଏବଂ ଏହା ଆନ୍ତଃଭାଷା ଭାବ ବିନିମୟକୁ ପ୍ରୋତ୍ସାହିତ କରିବ ।

ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ :

ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ବ୍ୟବହୃତ Google ଟ୍ରାନ୍ସଲେଟ ଏବେ ଓଡ଼ିଆକୁ ନିଜ ଭାଷାତାଲିକାରେ ଯୋଡ଼ିଛି । ଆମ ମାତୃଭାଷାରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହନ ଦେବା ଏବଂ ଲକ୍ଷ ଲକ୍ଷ ଅଣ-ବକ୍ତାଙକୁ ଏହାକୁ ଗ୍ରହଣ କରିବାରେ ସାହାଯ୍ୟ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।

ମେସିନ ଅନୁବାଦ
ମୂଳ ଉତ୍ସର ଭାଷାରେ ଥିବା ପାଠ କିମ୍ବା କଥା ଏକ ଲକ୍ଷ୍ୟ ଭାଷାରେ ଅନୁବାଦ କରିବା ପାଇଁ ମେସିନ ଅନୁବାଦ ବ୍ୟବହୃତ ହୁଏ । Google ବ୍ୟବହାର କରୁଥିବା ଅନୁବାଦ ନିଉରାଲ ମେସିନ ଅନୁବାଦ (Neural Machine Translation) ଉପରେ ନିର୍ଭର କରେ । ଏହା ଏକ କମ୍ପ୍ଯୁଟରୀ ବ୍ୟବସ୍ଥା ଓ ସେଥିରେ କୃତ୍ରିମ ନିଉରାଲ ନେଟୱାର୍କ (artificial neural network ) ନାମକ ଏକ କୌଶଳ ବ୍ୟବହାର କରେ । ସେଥିରେ ଖଣ୍ଡବାକ୍ୟର ଅନୁବାଦ (ଉତ୍ସରୁ ଲକ୍ଷ୍ୟ ଭାଷା) ଥିବା ବଡ଼ ଡାଟାସେଟ ତାଲିମ ପାଇଁ ବ୍ୟବହୃତ ହୁଏ ।

ଓଡ଼ିଆକୁ ଯୋଗ କରିବା ପରେ Google Translate ଏବଂ Microsoft Translator ବର୍ତ୍ତମାନ ପ୍ରତ୍ୟେକେ ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ । Google ମୋଟ ୧୦୯ଟି ବିଶ୍ୱ ଭାଷାରେ ଉପଲବ୍ଧ ହୋଇଥିଲା ବେଳେ Microsoft ୭୩ଟିରେ ଉପଲବ୍ଧ ।

ଅପର ପକ୍ଷେ ଓପନ-ସୋର୍ସ ପଦକ୍ଷେପ ଓଡ଼ିଆରେ ସଫଳ ମେସିନ ଅନୁବାଦ ପ୍ରକଳ୍ପ ସୃଷ୍ଟି କରି ବାକି ଅଛି ।

ଅତି କମରେ ଗୋଟିଏ ଓପନ-ସୋର୍ସ ଓ ସମ୍ପ୍ରଦାୟ ନେତୃତ୍ୱରେ ଚାଳିତ ପ୍ରକଳ୍ପର ବିକାଶ ହେଉଛି — MTEnglish2Odia ଓଡ଼ିଆ ଭାଷାର ଉଇକିପିଡ଼ିଆ ଭଳି ଆଗରୁ ଥିଭା ଉତ୍ସରୁ  ଏବଂ ଟ୍ୱିଟରରେ ବ୍ଯବହାରକାରୀଙ୍କ ଯୋଗଦାନରୁ କ୍ରାଉଡ଼ସୋର୍ସିଂ ଦ୍ୱାରା ଅନୁବାଦ ଯୋଡ଼ା ସଂଗ୍ରହ କରି ଏକ ମେସିନ ଅନୁବାଦ ଇଞ୍ଜିନକୁ ତାଲିମ ଦେଉଛି ।

ଏଥି ସହ ଅନ୍ୟ ସଂଗଠନଗୁଡ଼ିକଦ୍ୱାରା ମେସିନ ଅନୁବାଦ ଇଞ୍ଜିନ ତିଆରିରେ ବ୍ୟବହାର ହୋଇପାରିବା ଭଳି  କିଛି ଗବେଷଣା ଏବଂ ସମ୍ବଳ ମଧ୍ୟ ରହିଛି

ମେସିନ ଅନୁବାଦର ରାଜନୀତି

Google Translate ବା Microsoft Translator ଦ୍ୱାରା ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ସାମାଜିକ, ଆଇନଗତ, ନୈତିକ ଏବଂ ଅଧିକାର ଦିଗରୁ ଜଟିଳ ।

ଅନେକ ଭାଷାରୁ ଶୀଘ୍ର ଖବର ପାଇବା ପାଇଁ ସାମ୍ବାଦିକମାନଙ୍କ ସମେତ ଅନେକ ଲୋକଙ୍କ ପାଇଁ କିମ୍ବା ବିଭିନ୍ନ ଭାଷା ସମ୍ବଳରୁ ଶିଖିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ମେସିନ ଅନୁବାଦ ପ୍ଲାଟଫର୍ମ ଖୁବ ଉପଯୋଗୀ ହୋଇପାରେ ।

ସେହିପରି ଭଏସ ସିନ୍ଥେସିସ ସୁବିଧା ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଓ ବିଶେଷ କରି ଅନ୍ଧତ୍ୱ ଥିବା ବ୍ୟକ୍ତିମାନଙ୍କୁ ସହଜରେ ସୂଚନା ପ୍ରବେଶ ଏବଂ ବିତରଣ କରିବାରେ ସାହାଯ୍ୟ କରେ ।

ଅଳ୍ପ ସମୟ ମଧ୍ୟରେ ବ୍ୟାପକ ପରିମାଣର ବିଷୟବସ୍ତୁକୁ ଅନୁବାଦ କରିବା ପାଇଁ Google Translateର ପ୍ରତିଶ୍ରୁତି ଦିଏ ଓ ଏହାଦ୍ୱାରା ଶିକ୍ଷା, ମିଡ଼ିଆ ଏବଂ ମନୋରଞ୍ଜନ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।

ଅପର ପକ୍ଷରେ ମେସିନ ଅନୁବାଦ ଭୁଲ ସୂଚନାକୁ ବ୍ୟାପକ କରିବାରେ ସାହାଯ୍ୟ କରିପାରେ ଏବଂ ଲୋକଙ୍କ ନିଜ ଭାଷାରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଠକୁଥିବା ଠକମାନଙ୍କୁ ଭଏସ ସିନ୍ଥେସିସ ସୁବିଧା ଯୋଗାଇପାରେ ।

ବିଶ୍ୱରେ ୬,୦୦୦ରୁ ଅଧିକ ପଞ୍ଜିକୃତ ଭାଷା ରହିଛି ଏବଂ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେକ ଭାଷାରେ ଲିଖନ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି । Google Translate ଏବଂ Microsoft Translator ପରି ମେସିନ ଅନୁବାଦ ପ୍ରକଳ୍ପରେ ସେହି ଭଳି ଭାଷାଗୁଡ଼ିକ ଅନ୍ତର୍ଭୁକ୍ତ ହେବାକୁ ସୁଯୋଗ ପାଇଛନ୍ତି ।

ଅନଲାଇନ ବିଷୟବସ୍ତୁ ଉପଲବ୍ଧ ହେବା ଏବଂ ଏକ ଭାଷା କହୁଥିବା ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଲାଭକାରୀ ନିଗମଗୁଡ଼ିକଙ୍କ ପାଇଁ ନିଜ ବ୍ୟବସ୍ଥା ଭିତରେ କେଉଁ ଭାଷା ଅନ୍ତର୍ଭୁକ୍ତ କରିବେ ତାହା ସ୍ଥିର କରିବାରେ ପ୍ରମୁଖ ବିଚାରଯୋଗ୍ୟ କାରଣ । ଏକ ନିଗମ ଯେତେ ଅଧିକ ଭାଷା ସମର୍ଥନ କରେ, ଏହା ଉପଭୋକ୍ତାଙ୍କୁ ଯେତେ ଅଧିକ ଲକ୍ଷ୍ୟ ବିଷୟବସ୍ତୁ ଦେଇପାରିବ ଏବଂ ଏହା ବିଜ୍ଞାପନରୁ ଯେତେ ଅଧିକ ଲାଭ ପାଇପାରିବ ।

ଏହା ଛଡ଼ା Google Translate ଭଳି ପ୍ରକଳ୍ପ ଉପରେ ସ୍ୱତ୍ୱ ଏବଂ ଦରମାକୁ ନେଇ ନୈତିକ ପ୍ରଶ୍ନ ଉଠିଛି । Google Translateର ଅନୁବାଦ ସମୀକ୍ଷା କରିବା ପାଇଁ ଏକ ଯୋଗଦାନକାରୀ ସମ୍ପ୍ରଦାୟ ବ୍ୟବସ୍ଥା ରହିଛି (ଯାହା ଇଞ୍ଜିନିୟରମାନଙ୍କୁ ନିୟମିତ ଭାବରେ ଟୁଲଟିକୁ ଉନ୍ନତ କରିବାରେ ସାହାଯ୍ୟ କରେ) ।

Google ଏକ ଲାଭକାରୀ କମ୍ପାନୀ ଓ ତାହାର ଅନେକ ଦେୟ ଉତ୍ପାଦ/ସେବା ରହିଛି (ଏକ କ୍ଲାଉଡ ଅନୁବାଦ ସେବା ଏଥିରେ ଅନ୍ତର୍ଭୁକ୍ତ) । ବ୍ୟକ୍ତିଗତ ଭାବେ ସ୍ୱେଚ୍ଛାସେବୀ କିମ୍ବା ଅନେକ ସାର୍ବଜନୀନ ଉତ୍ସରୁ ମେସିନ ଶିଖୁଥିଲେ ହେଁ ସେମାନଙ୍କୁ ଶ୍ରେୟ ବା ଦରମା ଦିଆଯାଏ ନାହିଁ ।

ମେସିନ ଶିକ୍ଷା ଏବଂ କୃତ୍ରିମ ବୁଦ୍ଧିମତାରେ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉନ୍ନତି କରିବା ପାଇଁ ବ୍ଯକ୍ତିଗତ/ଗୋପନୀୟ ଯୋଗାଯୋଗର ବ୍ୟବହାର ମଧ୍ୟ ଗୋପନୀୟତା ଦୃଷ୍ଟିକୋଣରୁ ବିବାଦୀୟ । ତେବେ Google ଏପରି ଡାଟାକୁ ନାମହୀନ କରି ବ୍ୟବହାର କରିବା ଦିଗରେ କାମ କରୁଛି ।

ଭାରତ ଭଳି ଦେଶରେ ବହୁଭାଷାଗତ ବିଷୟବସ୍ତୁ ତିଆରି ଖର୍ଚ୍ଚ କାରଣରୁ ଆଗକୁ ବଢ଼ିବାରେ ଅସୁବିଧାର ସମ୍ମୁଖୀନ ହୁଏ । ଏଣୁ Google Translate ଓ Microsoft Translator ଭଳି ଉତ୍ପାଦ ଭାରତୀୟ ବିଷୟବସ୍ତୁ ଅର୍ଥନୀତିରେ ବିପ୍ଳବ ସୃଷ୍ଟି କରିପାରେ । ଏସବୁ ସ୍ୱେଚ୍ଛାସେବୀ କାର୍ଯ୍ୟ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ଥିବା ବର୍ତ୍ତମାନର ୨୩ଟି ଭାରତୀୟ ଭାଷାରେ ଥିବା ଉଇକିପିଡ଼ିଆ କିମ୍ବା ବହୁଭାଷାୀୟ ଅନଲାଇନ ଶିଶୁ ସାହିତ୍ୟ ପ୍ଲାଟଫର୍ମ StoryWeaver ଭଳି ପ୍ରକଳ୍ପ ପାଇଁ ଏକ ପାର୍ଥକ୍ୟ ସୃଷ୍ଟି କରିପାରିବେ ।

ଅନେକ ଭାରତୀୟ ଭାଷା ଦ୍ରୁତ ଗତିରେ ଲୋପ ପାଇବା ଏବଂ ନିରକ୍ଷରତା ତଥା ଡିଜିଟାଲ ଅଭିଗମ୍ୟତାର ଅସୁବିଧାକୁ ଦୂର କରିବା ପାଇଁ ଆଉ ଯୋଗାଯୋଗ ମାର୍ଗକୁ ସୁଗମ କରିବା ପାଇଁ ସ୍ୱର ଏବଂ ଦୃଶ୍ୟ ପ୍ରଯୁକ୍ତିରେ ଅଧିକ ନବସୃଜନର ଆବଶ୍ୟକତା ରହିଛି  । ଭାଷା ବିଲୋପକୁ ରୋକିବା ପାଇଁ ମେସିନ ଅନୁବାଦ ଏକ ବ୍ୟାବହାରିକ ଉପକରଣ ହୋଇପାରେ କିନ୍ତୁ ଭାରତରେ ଏବେ ବି ଏହା ବହୁ ଆଗକୁ ଯିବା ବାକି ଅଛି ।

ଦାବୀ ଅସ୍ୱୀକାର: ଲେଖକ ୨୦୧୧ରୁ ଓଡିଆ ଉଇକିପିଡ଼ିଆ ସହ ଜଣେ ସ୍ୱେଚ୍ଛାସେବୀ ଭାବେ ଏବଂ MTEnglish2Odia ସହିତ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଡ଼ିତ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.