
ଉଇକିଅଭିଧାନର କଥାଭିଧାନ ପ୍ରକଳ୍ପ ପାଇଁ ଘରୋଇ ରେକର୍ଡ଼ିଂର ଉପକରଣ । ଫଟୋ: ଶୁଭାଶିଷ ପାଣିଗ୍ରାହୀ, ଉଇକିମିଡ଼ିଆ କମନ୍ସ୍, CC BY-SA 4.0
ଉଇକିପିଡ଼ିଆର ବହୁଭାଷୀ ପ୍ରକଳ୍ପର ଏକ ଅଙ୍ଗ ଉଇକିଅଭିଧାନ ଏକ ମହାନ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ମୁକ୍ତଭାବରେ କୌଣସି ଅଡ଼ିଓ ରେକର୍ଡ଼ିଂକୁ ଶୁଣିବାକୁ କିମ୍ବା ଡାଉନଲୋଡ଼୍ କରିବାକୁ ସେଭଳି କିଛି ବିଶେଷ ସୁବିଧା ଉପଲବ୍ଧ ନାହିଁ – ମୁଖ୍ୟତଃ ଯଦି ଆପଣଙ୍କର ମାତୃଭାଷା ସେହିଭଳି କୌଣସି ପ୍ରମୁଖ ଭାଷା ନୁହେଁ । ଉଇକିଅଭିଧାନ ଆଗରୁ ବିଭିନ୍ନ ଭାଷାରେ ଉପଲବ୍ଧ ଓ ସେଥିରେ ଶବ୍ଦଗୁଡ଼ିକର ସଂଜ୍ଞା ସହ ଅନେକ ଧ୍ୱନିର ଚିହ୍ନ ଏବଂ ଅତି କମରେ ଆନ୍ତର୍ଜାତୀୟ ଧ୍ୱନ୍ୟାତ୍ମକ ବର୍ଣ୍ଣମାଳାର ରୂପରେଖଗୁଡ଼ିକ ଉପଲବ୍ଧ ରହିଛି । ବର୍ତ୍ତମାନ ଓଡ଼ିଆ ଉଇକିଅଭିଧାନ ପ୍ରକଳ୍ପରେ ସ୍ୱେଚ୍ଛାସେବୀ ଯୋଗଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ଓଡ଼ିଆ-ଭାଷା ସମୂହ ପ୍ରକଳ୍ପ ସାହାଯ୍ୟ କରୁଛି ।
କଥାଭିଧାନ ମିଳିତ ପ୍ରକଳ୍ପ ଗ୍ଲୋବାଲ ଭଏସେସର ଯୋଗଦାନକାରୀ ଏବଂ ଓଡ଼ିଆ ଉଇକିଆଳି ଶୁଭାଶିଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳିତ ଓ ଏହା ଅନେକ ଶବ୍ଦର ରେକର୍ଡ଼ିଂ ପାଇଁ ଏକ ଓପନ ସୋର୍ସ ସମାଧାନ । ଏହା ପରେ ଏହିସବୁକୁ ମୁକ୍ତରେ ଅପଲୋଡ଼୍ କରେ ଫଳରେ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଧ୍ୱନିଗୁଡ଼ିକ ଉପଯୋଗ ହୋଇପାରିବ ।
ଓଡ଼ିଆ ଭାରତର ରାଜ୍ୟ ଭାଷାମାନଙ୍କମଧ୍ୟରେ ଗୋଟିଏ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀର ଭାଷା । ଏହା ପୂର୍ବଭାରତର ପାଖାପାଖି ୪କୋଟି ଅଧିବାସୀଙ୍କ ଦ୍ୱାରା ମାତୃଭାଷା ଭାବରେ ବ୍ୟବହୃତ । ପାଖାପାଖି ୫୦୦୦ ବର୍ଷର ସାହିତ୍ୟିକ ପରମ୍ପରା ସହ ଏହାକୁ ଦକ୍ଷିଣ ଏସିଆର ପ୍ରାଚୀନତମ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ଏବଂ ଭାରତ ସରକାରଙ୍କ ଦ୍ୱାରା ମଧ୍ୟ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି ।
କିନ୍ତୁ ଇଉନିକୋଡ଼ ରହିତ ଟାଇପିଂ ପ୍ରଣାଳୀର ଉପଯୋଗକାରୀଙ୍କ ସକାଶେ ଏହି ଭାଷାର ଅନଲାଇନ ଉପସ୍ଥିତି ଏବେ ବି ପଛରେ ରହିଯାଇଛି । ଏହିସବୁ ଅସୁବିଧାକୁ ସମାଧାନ କରିବା ପାଇଁ ଅକ୍ଷର ଏନକୋର୍ଡ଼ିଂର କନଭର୍ଟରସବୁ ଏହି ସବୁ ପୁରୁଣା ଇଉନିକୋଡ଼ ରହିତ ଲେଖାମାନକୁ ଇଉନିକୋଡ଼କୁ ବଦଳାଇବା ନିମନ୍ତେ ୧୨,୦୦୦ରୁ ଅଧିକ ପ୍ରସଙ୍ଗ ଥିବା ଓଡ଼ିଆ ଉଇକିପିଡ଼ିଆରେ ରଖାଯାଇଛି । ତେବେ ଓଡ଼ିଆ ଉଇକିଅଭିଧାନ ଏକ ମୁକ୍ତ ଅନଲାଇନ-ଆଧାରିତ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ କ୍ରାଉଡ଼ସୋର୍ସଡ଼ ଅଭିଧାନ ଓ ଏହା ଓଡ଼ିଆ ଭାଷାର ଅନଲାଇନ ବ୍ୟବସ୍ଥାରେ ଥିବା ଫାଙ୍କାସ୍ଥାନକୁ ଭରଣା କରିବାକୁ ଚେଷ୍ଟା ଚଳାଇଛି ।
ଏହି ପ୍ରକଳ୍ପ ଟି. ଶ୍ରୀନିବାସନ୍ଙ୍କ ଦ୍ୱାରା ପାଇଥନ ପ୍ରୋଗ୍ରାମିଙ୍ଗ ଭାଷା ବ୍ୟବହାରରେ ନିର୍ମିତ ଏକ ମୁକ୍ତ ସଫ୍ଟଓୟାରର ଉପଯୋଗ କରୁଛି ଏବଂ ତାହା ଏହାର କାର୍ଯ୍ୟକୁ ସ୍ୱୟଂଚାଳିତ ଏବଂ ସରଳୀକରଣ କରିପାରୁଛି । ସେ ତାଙ୍କର ଅନୁଶିକ୍ଷଣ ୟୁଟ୍ୟୁବ୍ରେ ଦେଖାଇଛନ୍ତି:
ପୂର୍ବରୁ ଥିବା ପ୍ରକ୍ରିୟାମାନ ଅତ୍ୟନ୍ତ ଜଟିଳ ଥିବାରୁ ପାଣିଗ୍ରାହୀ ଏହି କଥାଭିଧାନ ପ୍ରକଳ୍ପଟି ଆରମ୍ଭ କରିବାରେ ଆଗ୍ରହୀ ହୋଇଥିଲେ । ଆଗରୁ ପ୍ରଥମେ ଆପଣଙ୍କୁ ଶବ୍ଦଟିକୁ ଉଚ୍ଚାରଣ କରି ରେକର୍ଡ଼ କରିବାକୁ ପଡ଼ୁଥିଲା, ଏହା ପରେ ଉଇକିମିଡ଼ିଆ ପ୍ରକଳ୍ପର ସମସ୍ତ ଫାଇଲ୍ର ଏକ ଗନ୍ତାଘର ରୂପେ ଜଣା ଉଇକିମିଡ଼ିଆ କମନ୍ସ୍ରେ Ogg Vorbisକୁ ବଦଳାଇବାକୁ ପଡ଼ୁଥିଲା । ଥରେ ଅପଲୋଡ଼ ହୋଇଗଲା ପରେ ଏହି ଫାଇଲଟିକୁ ଉଇକିଅଭିଧାନ ପ୍ରକଳ୍ପରେ ଯୋଡ଼ା ଯାଇଥାଏ । ଏହିପରି ଭାବରେ କରାଯାଉଥିବା ଉଚ୍ଚାରଣର ରେକର୍ଡ଼ିଂ ବ୍ୟତୀତ Dhvani ନାମକ ଆଉ ଏକ ମୁକ୍ତ ପ୍ରକଳ୍ଫ ଅଛି ଯେଉଁଥିରେ ଲେଖାରୁ ଉଚ୍ଚରଣକୁ ବଦଳାଇ ହେବ ଓ ଏହା ଅଧିକାଂଶ ଭାରତୀୟ ଭାଷା ପାଇଁ କାର୍ଯ୍ୟକରୁଛି ।
ଏହା ବ୍ୟତୀତ ଉଇକିଅଭିଧାନରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଉପଲବ୍ଧ ହେବା ବିଦେଶୀ ବକ୍ତାମାନଙ୍କୁ ସାହାଯ୍ୟ କରୁଛି — ଏଥି ସହ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଭିନ୍ନ ଭିନ୍ନ ଶବ୍ଦଗୁଡ଼ିକର ଉଚ୍ଚାରଣ ଶୁଣିବାରେ ସାହାଯ୍ୟ କରୁଛି । ଏହି ଧ୍ୱନିସମୂହ ମଧ୍ୟ ବିଭିନ୍ନ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ପ୍ରକଳ୍ପ ଲେଖାରୁ ଉଚ୍ଚାରଣ ଏବଂ ଉଚ୍ଚାରଣରୁ ଲେଖାପ୍ରକିୟା ନିର୍ମାଣରେ ବ୍ୟବହାର ଉପଯୋଗୀ ହୋଇପାରିବ ।
ଆପଣମାନେ କଥାଭିଧାନର ଏକ ନକଲ ଡାଉନଲୋଡ଼ କରିପାରିବା ସହ ଏହି ସଫ୍ଟଓୟାର ଦ୍ୱାରା ପ୍ରସ୍ତୁତ ସମସ୍ତ ଶବ୍ଦର ରେକର୍ଡ଼ିଂ ମଧ୍ୟ ପାଇପାରିବେ ।