
ଜାନୁଆରୀ ଶେଷ ଆଡକୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଉଦ୍ଧାର କରାଯାଇଥିବା ମଲାୱୀମାନେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ଆଉ ଏକ ବନ୍ୟାର ଅପେକ୍ଷା କରିଛନ୍ତି । ଦେଶର ରାଷ୍ଟ୍ରପତିଙ୍କ ମତରେ ପାଖାପାଖି ୧୭୫,୦୦୦ ଲୋକ ଙ୍କ ଘର ଉଜାଡିଥିବା ଓ ବ୍ୟାପକ ଫସଲ ହାନି କରିଥିବା ଏହି ବନ୍ୟା ଇତିହାସର ସବୁଠାରୁ ବଡ ବିପର୍ଯୟ। ଫଟୋ: ସାମ ଇଟନ, PRIର ଅନୁମତି କ୍ରମେ ପ୍ରକାଶିତ ।
ସାମ ଇଟନଙ୍କ ଦ୍ୱାରା ଦି ୱାର୍ଲଡ଼ ପାଇଁ ତିଆରି ଏହି ପ୍ରସଙ୍ଗ ଓ ରେଡ଼ିଓ ବିବରଣୀ ପ୍ରଥମେ ୨୦୧୫ ଫେବୃଆରୀ ୫ ତାରିଖରରେ PRI.org ରେ ପ୍ରକାଶିତ ହୋଇଥିଲା । ଏହା କଣ୍ଟେଣ୍ଟ-ସେଆରିଂ ଚୁକ୍ତି ଅନୁସାରେ ପୁନର୍ପ୍ରକାଶିତ ହୋଇଛି ।
ପାଖାପାଖି ୧୭୫,୦୦୦ ଲୋକ ବାସଚ୍ୟୁତ ହେଲାପରେ ଏବଂ ମକା ଆଦି ମୁଖ୍ୟ ଫସଲର ବ୍ୟାପକ କ୍ଷୟକ୍ଷତି ଦେଖିବା ପରେ ନିରୀକ୍ଷକମାନଙ୍କ ମତ ଅନୁସାରେ ଏହା ଗତ ଅର୍ଦ୍ଧ ଶତାବ୍ଦୀ ରେ ମଲାୱୀ (ଆଫ୍ରିକା) ରେ ଘଟିଥିବା ସବୁଠାରୁ ବଡ ବନ୍ୟା, ଯାହା ଦ୍ଵାରା ସର୍ବସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଇଛି ।
ଜାନୁଆରୀ ମଧ୍ୟ ଭାଗରୁ ଆରମ୍ଭ ହେଇଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ଶିରେ ନଦୀ ଅଞ୍ଚଳରେ ବାସ କରୁଥିବା ଜଣେ ୬୯ ବୟସ୍କ ବୃଦ୍ଧ କହିଛନ୍ତି ଯେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଏମିତି ବନ୍ୟା ଦେଖି ନାହାନ୍ତି। ବନ୍ୟା ସବୁବେଳେ ଆସେ ଓ ଲୋକମାନେ ତା’ ହିସାବରେ ନିଜକୁ ପ୍ରସ୍ତୁତ କରି ରଖନ୍ତି, କିନ୍ତୁ ଏଥର ସବୁଠାରୁ ଅଲଗା ଥିଲା।
ଲୋକମାନେ ବର୍ଣ୍ଣନା କରିଛନ୍ତି କେମିତି ସେମାନଙ୍କ ଆଖି ଆଗରେ ତାଙ୍କ ଘର ଭାସିଗଲା ଓ ସେମାନେ ଉଈହୁଙ୍କା ଧରି ନିଜ ଜୀବନ ବଞ୍ଚାଇଥିଲେ ଏଇ ଆଶାରେ ଯେ ବୋଟ ଅଥବା ହେଲିକପ୍ଟର ଧରି କେହି ସେମାନଙ୍କ ସହାୟତା ପାଇଁ ଆସିବେ। ଏପରିକି ସେମାନେ ହୁଙ୍କା ଧରି ପାଣିରେ ଥିଲେବେଳେ କୁମ୍ଭୀରସବୁ ପାଖରେ ଘୁରି ବୁଲୁଥିଲେ ।
ଦକ୍ଷିଣ ମଲାୱୀ ସହର ବାଙ୍ଗୁଲାରେ ଏକ ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରାୟ ସବୁ ଲୋକ କହିଲେ ଯେ ସେମାନେ ନିଜ ପିନ୍ଧିବା ବସ୍ତ୍ର ଛଡା ଆଉ ସବୁ କିଛି ହରେଇ ସାରିଛନ୍ତି ।

ଦୂର ଦକ୍ଷିଣ ମଲାୱୀର ଶିରେ ନଦୀ କୂଳ ଅଞ୍ଚଳମାନ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଛି । ଏହି ଅଞ୍ଚଳ ବନ୍ୟା ଦ୍ୱାରା ଅଧିକାଂଶ ଭାବେ ପ୍ରଭାବିତ ହେଉଥିଲେ ହେଁ ସ୍ଥାନୀୟ ଲୋକଙ୍କ ମତରେ ନିକଟର ବନ୍ୟା ଗତ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଳୟଙ୍କରୀ । ଉଇକିମିଡ଼ିଆ କମନ୍ସରୁ ପବ୍ଲିକ ଡୋମେନ ଫଟୋ ।
(PRI.orgରେ ସାମ ଇଟନଙ୍କ ମଲାୱୀ ଯିବା ପରର ଅଧିକ ଫଟୋ ।)
ଏପରିକି ଆଶ୍ରୟସ୍ଥଳୀ ଅବସ୍ଥା ମଧ୍ୟ ଶୋଚନୀୟ କାରଣ ପାଖାପାଖି ୧୦ ଟି ପରିବାର ଗୋଟେ ତମ୍ବୁତଳେ ବିନା ମଶାରୀରେ ଦିନରାତି ରହୁଛନ୍ତି, ଖରାବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ସାମାନ୍ୟତମ ସୁରକ୍ଷା ଅଭାବରେ। ମହିଳାମାନେ କହିଛନ୍ତି ଯେ ରାନ୍ଧିବା ପାଇଁ ଆବଶ୍ୟକ ପରିମାଣରେ ଖାଦ୍ୟ ନାହିଁ । ସେଠାରେ ଥିବା ପୁରୁଷ କର୍ମୀମାନେ ଖାଦ୍ୟ ବଦଳରେ ମହିଳାମାନଙ୍କ ସହ ଶାରିରୀକ ସମ୍ପର୍କ ପାଇଁ ଦାବି କରିବା ଓ ଝିଅମାନେ ସୁରକ୍ଷା ଅଭାବରେ ନିର୍ଯାତିତ ହେବା ଭୟରେ ଦିନ କାଟିବା କଥା କିଛି ଲୋକ କହିଛନ୍ତି।
ଅପରପକ୍ଷେ ହଜାର ହଜାର ଲୋକ ଜଳବନ୍ଦୀ ହେଇ ଏବେ ବି ଦୂର ଜାଗାରେ ରହିଛନ୍ତି। ସହାୟତା କର୍ମୀ ମାନେ ସେ ସବୁ ଜାଗାକୁ ହେଲିକପ୍ଟର ଯୋଗେ ଖାଇବା ପହଞ୍ଚାଉଛନ୍ତି।
ଏତେ ବଡ ବିପର୍ଯ୍ୟୟ ର କାରଣ ଅନେକ ଜଟିଳ ସମସ୍ୟା—ମୁଷଳ ଧାରାରେ ବର୍ଷା, ଭାରି ଜନସଂଖ୍ୟା ଘନତ୍ଵ ଓ ବନ୍ୟସମ୍ପଦ ହ୍ରାସ । ଉଦାହରଣ ସ୍ୱରୂପ ଶିରେ ନଦୀ ବନ୍ୟାର ମୂଳ କାରଣ ଥିଲା। ରନ୍ଧନ କାଠ ପାଇଁ ଆଖପାଖ ପାହାଡ଼ିଆ ଅଞ୍ଚଳର ଗଛ କଟାହେବା ଫଳରେ ଭୀଷଣ ମାତ୍ରାରେ ବର୍ଷାଜଳ ତଳ ଇଲାକାକୁ ଆସିବା ପାଇଁ କୌଣସି ବାଧା ନ ଥିଲା ।
ମଲାୱୀରେ ବର୍ଷା ପଡ଼ିବା ଶୁଣନ୍ତୁ :
ଜଳବାୟୁ ପରିବର୍ତନ ମଧ୍ୟ ଅନ୍ୟ ଏକ କାରଣ ହେଇପାରେ । ଏତେବଡ ବନ୍ୟା ପଛରେ ଥିବା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା, ଜଳବାୟୁ ସମ୍ପର୍କିତ ସେହି ମଡେଲର ଭବିଷ୍ୟବାଣୀ ସହ ଖାପ ଖାଉଛି ଯାହା କହେ କାର୍ବନ ଏମିସନ ପାଣିପାଗ ଉପରେ ମାତ୍ରାଧିକ ହସ୍ତକ୍ଷେପ କରିଥାଏ । ଏ ପ୍ରକାର ର ଘୂର୍ଣ୍ଣିଝଡ଼ ମଲାୱୀ ର ଝାଟିମାଟି କୁଡ଼ିଆ ଓ ବିଲଡିହରେ ଘର କରି ରହୁଥିବା ପରିବାରସବୁକୁ ଧ୍ଵଂସ କରିବା ପାଇଁ ଯଥେଷ୍ଟ।
ପର୍ଯ୍ୟବେକ୍ଷକଙ୍କ ମତରେ ଏବେ ଉତ୍କଟ ଖାଦ୍ୟାଭାବ ସମସ୍ୟା କେଇ ସପ୍ତାହ କିମ୍ବା ମାସ ମାସ ଧରି ଦେଖା ହେବ। ସେ ଦେଶର ଅଳ୍ପଦିନିଆ ବର୍ଷାଋତୁ ସରି ଆସୁଥିବାବେଳେ ବହୁ ଚାଷୀଙ୍କ ଫସଲ ଏପରି ଏକ ସମୟରେ ବନ୍ୟା ଉଜାଡ଼ି ଦେଇଯାଇଛି ଯେ ନୂଆ ବିହନ ବୁଣିବା ପାଇଁ ଆଉ ସମୟ ନାହିଁ । ପୁଣି ଏହି ବନ୍ୟା ଏକ ଭୀଷଣ ମରୁଡ଼ି ପରେ ପରେ ଆସିଛି ଯାହା ଖାଦ୍ୟ ଉତ୍ପାଦନକୁ ବହୁ ପରିମାଣ ରେ କ୍ଷତି ପହଞ୍ଚାଇଛି ।
ଦେଶର ସରକାର ଏପରି ଏକ ପରିସ୍ଥିତିର ସାମ୍ନା କରିବା ଅବସ୍ଥାରେ ନାହାନ୍ତି । ଏକ ଦୁର୍ନୀତି ଅଭିଯୋଗ ପରେ ମଲାୱୀ ଅର୍ଥନୀତି ର ୪୦ ପ୍ରତିଶତ ଭରଣା କରୁଥିବା ବୈଦେଶିକ ଅର୍ଥ ସହାୟତା ଏବେ କିଛିଦିନ ତଳେ ବନ୍ଦ ହେଇଯାଇଛି । ଗତ ସପ୍ତାହରେ ଦରମା ବଢ଼ାଇବା ପାଇଁ ସେ ଦେଶର ପାର୍ଲିଆମେଣ୍ଟ ସଭ୍ୟମାନେ ଧାରଣା ଦେବା ସରକାରଙ୍କ କାର୍ଯ୍ୟ କଳାପ ବିଷୟରେ ପ୍ରମାଣିତ କରୁଛି ।
ବେସରକାରୀ ସଂସ୍ଥା ସବୁ ସାହାଯ୍ୟ ପ୍ରଦାନ କରୁଛନ୍ତି ସତ, ହେଲେ ସେମାନଙ୍କ ପାଖରେ ଟଙ୍କାର ଘୋର ଅଭାବ ।
ଏପରି ସମୟରେ ଅଧିକ ବର୍ଷାପାତର ଭବିଷ୍ୟବାଣୀ ଦର୍ଶାଉଛି ଯେ ଏ ପରିସ୍ଥିତି ସୁଧୁରିବା ଅପେକ୍ଷା ଆହୁରି ଖରାପ ହେଇପାରେ।
Thanks a lot to the central government for taking necessary steps for the Talcher fertilizer...