ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ
Rezwan Subhashish PanigrahiInternational Relations
ଇଣ୍ଟରନେଟରୁ ଅଧିକ ଉପଯୋଗୀ କରିବା ନିମନ୍ତେ ବଙ୍ଗଳାଦେଶର ପାଖାପାଖି ଅଧ ମିଲିଅନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଟେକ ଜାଏଣ୍ଟ ଗୁଗୁଲର ଏକ ଦଳ ବସଟି ଚଳାଉଛନ୍ତି । ଏକ ବିଶେଷ ସୁବିଧାଯୁକ୍ତ ଏହି ଗୁଗୁଲ ବସ 3G ମୋବାଇଲ ଇଣ୍ଟରନେଟ ଚାଳିତ ଓ ଦକ୍ଷିଣ ଏସିଆର ୩୫ଟି ଅଞ୍ଚଳରେ ଥିବା ୫୦୦ଟି କ୍ୟାମ୍ପସ ଯିବ ।
ବଙ୍ଗଳାଦେଶର ଅଧିକରୁ ଅଧିକ ଲୋକ ଅନଲାଇନ ଆସିବାରେ ଲାଗିଛନ୍ତି, ଏଥି ଲାଗି ମୋବାଇଲ ଇଣ୍ଟରନେଟକୁ ସାଧୁବାଦ ଦେବା କଥା । ୨୦୧୨ରେ ଥିବା ୫ ଶତକଡ଼ାରୁ ରୁ ଗତ ଦୁଇ ବର୍ଷ ଭିତରେ ଇଣ୍ଟରନେଟ ୨୦ ଶତକଡ଼ା ଲୋକଙ୍କ ପାଖରେ ପହଞ୍ଚି ପାରିଛି । ଏ ସଭିଏଁ ନୂଆ ବ୍ୟବହାରୀ ଓ ବିଶେଷ କରି ଇଣ୍ଟରନେଟର ଓ ନୂଆ ମିଡ଼ିଆର ମହତ୍ୱ ବାବଦରେ ଜାଣି ନଥିବା ଯୁବବର୍ଗର ।
ଛାତ୍ରମାନଙ୍କୁ ଇଣ୍ଟରନେଟ ସହ ଯୋଡ଼ିବା ସହ ସେମାନଙ୍କ ଶିକ୍ଷା ଓ ବିକାଶ ସକାଶେ ନୂଆ ଟୁଲ ବାବଦରେ ଜାଣିବା ଏବଂ ତାଲିମଦାତାଙ୍କ ଦ୍ୱାରା ଶିକ୍ଷଣଶାଳା ଦେବାର ପ୍ରକ୍ରିୟା ବଦଳାଇବା ପାଇଁ ଗୁଗୁଲ ବସ ଉଦ୍ୟମ କରୁଛି । ଏହି ପ୍ରକଳ୍ପରେ ଜଡ଼ିତ ଛାତ୍ରମାନେ ଇଣ୍ଟରନେଟ ଥିବା ଆଣ୍ଡ୍ରଏଡ଼ ଡିଭାଇସ ବ୍ୟବହାର କରିବାର ସୁଯୋଗ ଲଭିବେ ।
ବସଟି ଏଯାବତ ଢାକାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଯାଇସାରିଲାଣି । ଆସନ୍ତା ମାସମାନଙ୍କରେ ଏହା ଚିଟାଗଙ୍ଗ, ଖୁଲଣା, ସିଲହଟ, ରାଜସାହି, ରଙ୍ଗପୁର, ବରିସଳ ଏବଂ ଆହୁରି ଅନେକ ସହରର ଶିକ୍ଷାନୁଷ୍ଠାନମାନଙ୍କୁ ଯିବ ।
ନେଟ-ବ୍ୟବହାରୀଗଣ ଗୁଗଲର ଏହି ଅଭିଯାନରେ ନିଜ ଉତ୍କଣ୍ଠା ପ୍ରକାଶିଛନ୍ତି:
କଲେଜ ଛାତ୍ରଙ୍କୁ ପଢ଼ାଇବା ନିମନ୍ତେ ଗୁଗୁଲ ବଙ୍ଗଳାଦେଶ ସାରା ଗାଡ଼ି ଚଳାଇଛି ।
— କାଦିର ଆରିଫ
ଗୁଗୁଲ ବସ ବଙ୍ଗଳାଦେଶରେ ନିଜର ଯାତ୍ରାରମ୍ଭ କଲା ।
— ନୁରୁନାବି ହାସିବ
ଗୁଗୁଲ ବଙ୍ଗଳାଦେଶର ICTରେ ମଧ୍ୟ ବାଜି ଲଗାଇଲାଣି । ତମଙ୍କୁ ପାଛୋଟା ଗୁଗୁଲ! 🙂
— ହାମିଦୁଲ ହକ
ବହୁ ଛାତ୍ର ଗୁଗୁଲ ପ୍ଲସ କମୁମିଟି ପୃଷ୍ଠାରେରେ ନିଜ ଅନୁଭୂତି ଜଣାଇଛନ୍ତି । ଆଡାମଜି କାଣ୍ଟନମେଣ୍ଟ କଲେଜର ମୁରାଦ ହୋସେନ ଲେଖିଛନ୍ତି:
ଆମ ଏସିସି କଲେଜକୁ ଗୁଗୁଲ ବସ ଆସିବା ସତରେ ଆନନ୍ଦର ବିଷୟ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା…
ଅର୍ପିତା ଅହମଦ (ବୃଷ୍ଟି) ଲେଖନ୍ତି:
ମୁଁ ତେଜଗାଓଁ କଲେଜରେ ପଢ଼ୁଥିବା ବୃଷ୍ଟି । ଗୁଗୁଲ ବସ ସତରେ ବଢ଼ିଆ । ଏଇଟି ଆମ ନିତିଦିନିଆ ଜୀବନ ଲାଗି ଦରକାରୀ । ମୋର ଖୁବ ପସନ୍ଦ ।
ବଙ୍ଗଲାଦେଶୀ ବ୍ଲଗ ଝାଲମୁରିରେ, ଅହମଦ ରାବିବ ତଉସିଫ ଗୁଗୁଲ ବସର ଉପ୍ୟୋଗୀତା ବଖାଣିଛନ୍ତି:
ସେମାନଙ୍କ ସର୍ଚ ଇଞ୍ଜିନରୁ ଆମେ ଜାଣିଛୁ ଗୁଗୁଲ ଜଗତର ସୂଚନାକୁ ସଜାଡ଼ିବା ଓ ତା'କୁ ସଭିଙ୍କ ସବୁଠି ଉପଲବ୍ଧ ଓ ବ୍ୟବହାରଯୋଗୀ କରିବା ଲକ୍ଷରେ ଗଢ଼ା ଏକ ବହୁଦେଶୀୟ କମ୍ପାନି । ଗୁଗୁଲ ବସ ବଙ୍ଗଳାଦେଶ ସୁବିଧା ଯୋଗୁଁ ଏହା କେବଳ ଆଜିର ଯୁବସମାଜ ଲାଗି ନୁହେଁ ବରଂ ସମଗ୍ର ଦେଶ ପାଇଁ ଲାଭଜନକ ହେବ ।