#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ

Mahsa Alimardani
Subhashish Panigrahi

GV ଆଡ଼ଭୋକେସି

#FreeSaeed କ୍ୟାମ୍ପେନ ଛବି ।

ଇଣ୍ଟରନେଟରେ ପର୍ଣୋଗ୍ରାଫିକ ଛବି ଅପଲୋଡ଼ କରିବାରେ ସାହାଯ୍ୟ କରୁଥିବା ଏକ ଓପନ ସୋର୍ସ ସଫ୍ଟଓଏର ପ୍ରୋଗ୍ରାମ ତିଆରି କରିବାର ଦୋଷ ପାଇଁ ଅକ୍ଟୋବର ୪, ୨୦୧୪ ବେଳକୁ ଇରାନି ୱେବ ଏବଂ ସର୍କମଭେନସନ ଟୁଲ ଡେଭେଲପର ସଇଦ ମାଲେକପୁର କାରାଗାରରେ ଛ’ ବର୍ଷ କଟାଇସାରିଛନ୍ତି । ତାଙ୍କ ଗିରଫ ହେବାର ପୂର୍ତ୍ତି ଅବସରରେ, ସକ୍ରିୟ କର୍ମୀ ଓ ବ୍ଲଗରମାନେ ତାଙ୍କୁ ମୁକୁଳାଇବା ଦାବିରେ #freeSaeed ହାସଟ୍ୟାଗ ବ୍ୟବହାର କରି ଏକ ଟୁଇଟ ଝଡ଼ ତିଆରି କରିଛନ୍ତି ।

କାନାଡ଼ାର ସ୍ଥାୟୀ ନାଗରିକ, ସଇଦ ୨୦୦୮ରେ ମରଣଶେଯରେ ପଡ଼ିଥିବା ନିଜର ବାପାଙ୍କୁ ଦେଖିବା ନିମନ୍ତେ ଇରାନକୁ ଫେରିଆସିଥିଲେ । ଏହି ସମୟରେ ତାଙ୍କୁ ପ୍ରଚାର ମାଧ୍ୟମରେ ଦେଶର ଇସଲାମ ନୀତି ଓ ଜାତୀୟ ନିରାପତ୍ତାକୁ ବିପଦରେ ପକାଇବାର ଆରୋପ ଲଗାଯାଇଥିଲା । ଓପନ ସୋର୍ସରେ ବିତରିତ ହୋଇଥିବାରୁ ନିଜ ଓ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ଓ ତିଆରି ପ୍ରୋଗ୍ରାମ ଓ କୋଡ଼ କିପରି ବ୍ୟବହାର ହେଉଛି ତାହା ଜାଣିବାର ଅବକାଶ ନାହିଁ ବୋଲି ମାଲେକପୁର ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । 

ରିପୋର୍ଟ ଅନୁସାରେ ୧୫ ମିନିଟ ଧରି ଚାଲିଥିବା ବିଚାର ପରେ ସଇଦଙ୍କୁ “ଧରାର ଅନୀତିକାରୀ” ନାମିତ କରି ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ଡିସେମ୍ବର ୨୦୧୨ରେ ସଇଦଙ୍କ ମୃତ୍ୟୁ ଦଣ୍ଡ ମୃତ୍ୟୁରୁ ଆଜୀବନ କାରାଦଣ୍ଡକୁ ଛାଡ଼ କରାଯାଇଥିଲା । 

ଏକାକୀ କାରାରେ ସମୟ କାଟିଥିବା ସଇଦ ନିଜର ବୟାନ ଦେଇଥିଲେ, ଯାହା ସେ ପରେ ଜୋର କରି ବୟାନ ନିଆଯାଇଥିଲା ବୋଲି ପ୍ରକାଶ କରିଥିଲେ, ଏଥିରେ ତାଙ୍କୁ ଆନ୍ଦୋଳନକାରୀ ସେନା ଦ୍ୱାରା ଅତ୍ୟାଚାର କରି ପଚରାଉଚରା ଦ୍ୱାରା କୁହାଯାଇଥିଲା । ଏହା ପରର କିଛି ମାସ ଭିତରେ ଇରାନି ଟେଲିଭଜନ ଏହି ଅପରାଧର “ସ୍ୱୀକାରୋକ୍ତି”କୁ ବାରମ୍ବାର ପ୍ରସାରଣ କରିଥିଲା । 

ମାନବିକ ଅଧିକାର ଓକିଲ ଓ ଫ୍ରି ସଇଦ ପ୍ରଚାରାଭିଯାନର ମୁଖପାତ୍ର ଜିସୁ ନିଆ ଗ୍ଲୋବାଲ ଭଏସେସକୁ ଏକ ଇମେଲ ଜରିଆରେ ଇରାନରେ ପ୍ରୋଗ୍ରାମରମାନଙ୍କ ଉପରେ ଏହି ଘଟଣାର ପ୍ରଭାବ ବାବଦରେ ଜଣାଇଛନ୍ତି: 

ସଇଦ ମାଲେକପୁରଙ୍କ ଗିରଫ ଓ ଚାଲିଥିବା କାରାଦଣ୍ଡ ଜଣାଇଦିଏ ଯେ ସେମାନଙ୍କ କୋଡ଼ କେଉଁ ସାଇଟରେ ବ୍ୟବହାର ହୋଇଛି ତା’ ବାବଦରେ ନିଶ୍ଚିତ ଭାବେ ନ ଜାଣିପାରିବା ହେତୁ ଫ୍ରିଲାନ୍ସ ୱେବ ପ୍ରୋଗ୍ରାମରମାନେ ଏହି ଭଳି ଆଇନଗତ ଅସୁବିଧାରେ ପଡ଼ିପାରନ୍ତି । ସେମାନେ ତିଆରିଥିବା କୋଡ଼ ବ୍ୟବହାର ହୋଇ ଏକ ୱେବସାଇଟରେ ଥିବା ବିଷୟବସ୍ତୁ ଇରାନି କର୍ତୃପକ୍ଷଙ୍କ (ବିଶେଷ କରି ଯେଉଁଠି ବ୍ୟାକଏଣ୍ଡ IRGC ଦ୍ୱାରା ଯାଞ୍ଚ ହେଉଛି) ଅଶ୍ଳୀଳ ଭାବେ ପରିଗଣିତ ହେବା ଯୋଗୁ ଦୁର୍ଭାଗ୍ୟରେ ସେମାନେ ପଡ଼ିବେ କି?
[…]
ଏକ ପକ୍ଷରେ ସଇଦ IRGCର ଅନଲାଇନ ଦୁନିଆରେ ଚାଲିଥିବା ଯୁଦ୍ଧରେ ‘ବଳିର ଛେଳି’ ସାଜିଛନ୍ତି । ଇରାନିଆନ ସାଇବର ଆର୍ମି ୨୦୦୮ରେ ପ୍ରତିଷ୍ଠା ହୋଇଥିଲା ଏବଂ ସଇଦ ଏହା ପ୍ରତିଷ୍ଠା ହେବାର ଠିକ ପରେ ପରେ—ବୋଧେ ଅନ୍ୟମାନଙ୍କ ପାଇଁ ଏକ ହତୋତ୍ସାହର ଉଦାହରଣ ତିଆରି କରି—ଗିରଫ ହୋଇଥିଲେ ।

ଏହି ଘଟଣା ସହ ଜଡ଼ିତ ବାକିମାନେ ସଫ୍ଟଓଏର ପ୍ରୋଗ୍ରାମିଙ୍ଗର ଚଳଣି ଓ ପ୍ରକାର ବାବଦରେ ଅଜ୍ଞତା ଏହି ଗିରଫର କାରଣ ଭାବନ୍ତି । ଇରାନି ବ୍ଲଗର ଓ କମ୍ପ୍ୟୁଟର ଇଞ୍ଜିନିଅର ଆରସ ଆବାଡ଼ପୁର (ଡାକନାମ ଆରସ କମଙ୍ଗିର ନାମରେ ଜଣା) ଏକ ଇମେଲ ଯୋଗେ ଗ୍ଲୋବାଲ ଭଏସେସ ଯୋଗେ କହିଛନ୍ତି, “ସଇଦଙ୍କ ପରିସ୍ଥିତି ଏ ବ୍ୟବସ୍ଥାର ଏକପାଖିଆ ଗୁଣ ଦେଖାଉଛି । ଆମେ ନିଶ୍ଚିତ ଭାବେ ଏକଥା ଆଗରୁ ଦେଖିଛୁ, କିନ୍ତୁ ଏଥରର ଘଟଣା ଦୁଃଖଦାୟକ । ଶାସନକଳ ଓ ବ୍ୟବସ୍ଥା ଟେକନିକାଲ ଦିଗଗୁଡ଼ିକ ବାବଦରେ କାଣିଚାଏ ନ ଜାଣିଥିବାରୁ ବାକି ସବୁ କାମ ଉପରେ ଏ ଏକ ବିରାଟ ବିପଦ ସଙ୍କେତ ।”

ନିକଟରେ ବ୍ଲଗର ମାନଙ୍କ ଓ ନେଟନାଗରିକମାନଙ୍କ ଉପରେ ଦଣ୍ଡାଦେଶ ଓ ସେମାନଙ୍କର ଲଗାତର ଗିରଫ ଏକ ଅଧିକ ଖୋଲା ସମାଜ ଓ ଇଣ୍ଟରନେଟରେ ଏବେର ରାଷ୍ଟ୍ରପତି ହାସାନ ରୁହାନିଙ୍କ ଅଫିସ ପାଇଁ ପ୍ରଚାରାଭିଯାନର ପଶ୍ଚିମୀ ମିଡିଆର ପ୍ରଚାରକୁ ସମ୍ପୂର୍ଣ୍ଣ ରୂପେ ରୁଦ୍ଧ କରିଦେଇଛି ।

ଏହି ଦୁଃଖଦାୟକ ଅବସ୍ଥା ସତ୍ତ୍ୱେ ମଧ୍ୟ କିଛି ଛୋଟ ଛୋଟ ବିଜୟ ହୋଇଛି । ବିଗତ ସପ୍ତାହରେ, ନଭେମ୍ବର ୨୦୧୩ରେ ଅଜଣା କାରଣରୁ ଗିରଫ ହୋଇଥିବା ନରେନଜି ଟେକନୋଲୋଜି ବ୍ଲଗରଗଣ ବେଲରେ ଛାଡ଼ ପାଇଥିଲେ ।

ଯଦିଓ ସେହି କାରାବାସୀମାନଙ୍କ ମୁକୁଳିବା ପାଇଁ ପ୍ରଚାରାଭିଯାନର ପ୍ରଭାବ କଳିବା କଷ୍ଟ, ଅନେକ ପ୍ରଚାରକାରୀ ଓ ଇରାନର ଆଇନଗତ ବ୍ୟବସ୍ଥାର ବିଶ୍ଳେଷଣକାରୀମାନେ ଆନ୍ତର୍ଜାତୀୟ ଚାପ କାରାବାସୀମାନଙ୍କ ମୁକୁଳିବା ଉପରେ ପ୍ରଭାବ ପକାଇଛି ବୋଲି ବିଶ୍ୱାସ କରନ୍ତି ।

କାନାଡ଼ାରେ ରହୁଥିବା ସଇଦଙ୍କ ଭଉଣୀ ମାରିଅମ ମାଲେକପୁର ଏକ ଫୋନ ଇଣ୍ଟରଭିଉରେ ଗ୍ଲୋବାଲ ଭଏସେସକୁ ଜଣାଇଛନ୍ତି ଯେ ଏଇ ମାତ୍ର ସଇଦଙ୍କୁ ଏଭିନ କାରାଗାରର ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି । ଗିରଫ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଫୋନ କଲ କରିବା ଓ କୌଣସି ମଣିଷ ସଙ୍ଗେ କଥାବାର୍ତ୍ତା କରିବାର ଅନୁମତି ମିଳିଛି । ସେ ବଖାଣନ୍ତି:

“ସେ ଏତେ ଏକାକୀ ରହିଛନ୍ତି, ଏତେ କାଳ ନିର୍ବାସିତ ଭାବେ ବନ୍ଦୀ ହୋଇ ରହିଥିଲେ ଯେ ତାଙ୍କ ପାଇଁ କଥା ହେବାର ଆବଶ୍ୟକତା ଜରୁରୀ । ସେ କୌଣସି କଥା କହିପାରିବେ, ଆମ ପିଲାଦିନ, ଅତୀତ, ଏବେ କଣ ଘଟୁଛି, ଆଉ ମୁଁ କେବଳ ତାଙ୍କ ସଙ୍ଗେ କଥା ହେବା ଭଳି କାମଟିଏ ହିଁ କରିପାରୁଛି, ଆଉ ସେ ଯେ ଦିନେ ମୁକୁଳିବେ ସେ ଆଶା ଦେଉଛି । ତାଙ୍କ ମୁକ୍ତି ପାଇଁ ଚାଲିଥିବା ପ୍ରଚାର, ତାଙ୍କ ପାଇଁ ଲୋକେ ଯେ ସତରେ ଚିନ୍ତିତ ଓ ବିବ୍ରତ ସେକଥା ସେ ବିଶ୍ୱାସ ବି କରିପାରୁନାହାନ୍ତି । ତାଙ୍କୁ ମୁକୁଳାଇବା ପାଇଁ ଲୋକେ କରୁଥିବା ସବୁପ୍ରକାର ଚେଷ୍ଟା ପାଇଁ ସେ ସେମାନଙ୍କ ପାଖେ କୃତଜ୍ଞ..ତାଙ୍କୁ ପ୍ରାଣଦଣ୍ଡ ମିଳିଛି । ସେ ନିଜେ ଓ ଆମ ପରିବାରର ସଭିଏଁ ତାଙ୍କ ମୃତ୍ୟର ଡରରେ କେତେ କାଳୁ ଜୀଇଁଛୁ । ଆମେ କେବଳ ତାଙ୍କ କେସର ଏକ ନ୍ୟାୟଗତ ବିଚାର ଚାହୁଁଛୁ । ସେମାନେ ତାଙ୍କ ଠାରୁ ବଳପୂର୍ବକ ନିଆଯାଇଥିବା ଏକ ସ୍ୱୀକାରୋକ୍ତିକୁ ବାଦ ଦେଲେ ତାଙ୍କ ବିରୋଧରେ କୌଣସି ଦୋଷାବହ ପ୍ରମାଣ ନାହିଁ ।”

ଜିସୁ ନିଆ ଜୋର ଦେଇ କହିଥିଲେ ଯେ ସଇଦଙ୍କ କେସର ବିଶେଷ ଅନୁସନ୍ଧାନ କରାଯିବା ଉଚିତ । “ତାଙ୍କ ଉପରେ ଭୀଷଣ ଅତ୍ୟାଚାର କରାଯାଇଛି, କେବେ ନ୍ୟାୟୋଚିତ ବିଚାର ପାଇନାହାନ୍ତି, ନିଜ ଓକିଲଙ୍କ ସାଙ୍ଗେ କୌଣସି ସମ୍ପର୍କ ନାହିଁ । ଏହିସବୁ କାରଣ ପାଇଁ ସଇଦଙ୍କ କେସର ଏକ ସ୍ୱାଧୀନ ଅନୁସନ୍ଧାନ ହେବା ଉଚିତ, ଏହି ଅସମାହିତ ବିଚାର କାଳରେ ତାଙ୍କୁ ମୁକ୍ତ କରିବା ଉଚିତ ।”